ବାଘୁଣୀ ମା’-ଝିଅର ଘମାଘଟ ଲଢ଼େଇ, ଗର୍ଜନରେ ପର୍ଯ୍ୟଟକ ଭୟଭୀତ

ଜୟପୁର,୧୭ା୧୦: ରାଜସ୍ଥାନର ଯୋଧପୁରସ୍ଥିତ ରଣଥମ୍ବର ନ୍ୟାଶନାଲ ପାର୍କରେ ଆଜିକାଲି ଜୀବଜନ୍ତୁଙ୍କ ମଧ୍ୟରେ ଅଧିକାଂଶ ସମୟ ସଂଘର୍ଷ ଲାଗି ରହୁଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ପାର୍କରେ ଘଟିଥିବା ଏକ ସଂଘର୍ଷର ଫଟୋ ଭାଇରାଲ ହୋଇଛି। ପାର୍କରେ ବାଘୁଣୀ ଏବଂ ତା’ର ଏକ ଛୁଆ ମଧ୍ୟରେ ଲଢ଼େଇ ଲାଗିଛି। ଏମାନଙ୍କ ଗର୍ଜନରେ ପର୍ଯ୍ୟଟକମାନେ ଭୟଭୀତ ହୋଇପଡ଼ିଛନ୍ତି।


କିଛିଦିନ ତଳେ ବାଘୁଣୀ ଏବଂ ତା’ ଝିଅ ମଧ୍ୟରେ ସଂଘର୍ଷ ହୋଇଥିଲା। ଯାହାକୁ ନେଇ ବାଘୁଣୀ ଏରୋହେଡ୍‌ ଏବଂ ଝିଅ ରିଦ୍ଦି ଦୁଇଜଣ ଚର୍ଚ୍ଚାରେ ଅଛନ୍ତି। ରିଦ୍ଦିକୁ ଦେଖିଲେ ଲାଗୁଛି ସେ ବର୍ତ୍ତମାନ ଯେମିତି ରଣଥମ୍ବର ପାର୍କର ରାଣୀ ହେବାକୁ ଅଗ୍ରସର।


ମା’-ଝିଅଙ୍କ ଏପରି ଲଢ଼େଇ ଦେଖି ବନବିଭାଗ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛି। ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ମତରେ ରଣଥମ୍ବରରେ ବାଘଙ୍କ ସଂଖ୍ୟା ବଢ଼ିଚାଲିଥିବା ବେଳେ ସ୍ଥାନସଂଖ୍ୟା ବହୁ କମ୍‌ ଅଛି। ଏହି କାରଣରୁ ବାଘ-ବାଘଙ୍କ ମଧ୍ୟରେ ସଂଘର୍ଷ ଘଟୁଛି। ଏହି ସଂଘର୍ଷ ଦେଖି ପାର୍କକୁ ଆସୁଥିବା ପର୍ଯ୍ୟଟକମାନେ ଆତଙ୍କିତ ହୋଇପଡୁଛନ୍ତି। ବନବିଭାଗ ମଧ୍ୟ ଚିନ୍ତାରେ ପଡିଛି।

Share