ନୂଆଖାଇର ତିହାରି ହାଟ, ୫୦ ଲକ୍ଷରୁ ଊର୍ଦ୍ଧ୍ୱ କାରବାର

କର୍ଲାମୁଣ୍ଡା,୧୬ା୯(ପ୍ରଦୀପ କୁମାର ସାହୁ): ଆସନ୍ତା ବୁଧବାର ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଧୂମ୍‌ଧାମରେ ପାଳିତ ହେବ। ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇସାରିଥିବା ବେଳେ ଶନିବାର ହେଉଛି ନୂଆଖାଇର ତିହାରି ହାଟ। କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ାଠାରେ ଏହି ସାପ୍ତାହିକ ହାଟ ବସିଥାଏ। ଉକ୍ତ ହାଟଟି ଅଞ୍ଚଳର ସବୁଠୁ ବଡ଼ ହାଟ ହୋଇଥିବାରୁ ନୂଆଖାଇର ସାମଗ୍ରୀ କିଣାବିକା କରିବାଜୁ ଜନସାଧାରଣ ନିର୍ଭର କରିଥାନ୍ତି। ଅନ୍ୟ ପଟେ ଏହି ହାଟକୁ ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି ଆଦି ଜିଲାର ବ୍ୟବସାୟୀମାନେ ଆସିଥାନ୍ତି। ନୂଆଖାଇ ପୂର୍ବରୁ ଏହି ହାଟ ରହିଥିବାରୁ ଚଳିତ ବର୍ଷର ନୂଆଖାଇ ପାଇଁ ଆବଶ୍ୟକ ସାମଗ୍ରୀଗୁଡ଼ିକ ତଥା ପନିପରିବା, ପରିବାର ଲୋକଙ୍କ ପାଇଁ ଡ୍ରେସ, ଦେଶୀ କୁକୁଡ଼ା, ଛେଳି, ମେଣ୍ଢା, ବତକ ଆଦି ଲୋକେ କିଣି ନେଇଥାନ୍ତି। ବିଶେଷକରି ନୂଆ ଧାନ, ନୂଆ ଚୁଡ଼ା ଓ ଶାଳପତ୍ରରେ ତିଆରି ଖଲି ଓ ଦନା ତଥା ମାଟି ସରେଇ ଏହି ହାଟରେ ଉପଲବ୍ଧ ହେଉଥିବାରୁ ତାହା କିଣିବା ପାଇଁ ଭିଡ଼ ହୋଇଥାଏ।

Share