ରଥାରୁଢ଼ ହେଲେ ଶ୍ରୀଜୀଉ

ଆରଡ଼ି, ୨୦।୬ :ଭଦ୍ରକ ଜିଲା ଶୈବପୀଠ ଆରଡ଼ି ସମେତ ଏହାର ଆଖପାଖ ଅଞ୍ଚଳରେ ମଙ୍ଗଳବାର ପବିତ୍ର ରଥଯାତ୍ରା ପାଳିତ ହୋଇଯାଇଛି। ଆରଡ଼ିରେ ଥିବା ଜଗନ୍ନାଥ ମନ୍ଦିରରେ ଦିନତମାମ ପୂଜା ଅନୁଷ୍ଠିତ ହୋଇଥିଲା। ଶହ ଶହ ଭକ୍ତ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ ସହ ପ୍ରସାଦ ସେବନ କରିଥିଲେ। ତପନ କୁମାର ପାଢ଼ୀଙ୍କ ସହାୟତାରେ ପୂଜାବିିଧି ସମ୍ପନ୍ନ ହୋଇଥିଲା। ଆରଡ଼ି ସନ୍ନିକଟ ଭୂଇଁପୁରରେ ସକାଳଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରଥଯାତ୍ରା ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଅପରାହ୍ନରେ ତିନିଠାକୁରଙ୍କୁ ଭକ୍ତମାନେ ଟାଣି ଟାଣି ମାଉସୀମା ମନ୍ଦିରକୁ ନେଇଥିଲେ। କୁଳେଇପଦାରେ ବାଇଧର ବିଶ୍ୱାଳ, ଓଳଗରେ ନାରାୟଣ ଜେନା ଓ ସୁବ୍ରତ ବିଳାସଙ୍କ ସହଯୋଗରେ ୨ ଗ୍ରାମର ଗ୍ରାମବାସୀ ୩ ସୁସଜ୍ଜିତ ରଥକୁ ଟାଣି ନେଇ ମାଉସୀମା ମନ୍ଦିରରେ ସନ୍ଧ୍ୟାରେ ପହଞ୍ଚାଇଥିଲେ। ଧାମନଗର ବ୍ଲକର ରଇପୁରରେ ପାରମ୍ପରିକ ରଥଯାତ୍ରା ଦେଖିବାକୁ ଅସମ୍ଭବ ଭିଡ଼ ପରିଲକ୍ଷିତ ହୋଇଥିଲା। ରଇପୁରଠାରୁ ଭକ୍ତମାନେ ୩ କି.ମି. ରଥ ଟାଣି ସନ୍ଧ୍ୟାରେ ବେତାଳି ଗଁାରେ ଥିବା ମାଉସୀମା ମନ୍ଦିରରେ ପହଞ୍ଚାଇଥିଲେ। ସାହୁସାହିରେ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହୋଇଥିଲା।

Share