Categories: ଜାତୀୟ

ଭାରତରେ ବ୍ୟାନ୍‌ ହେବା ପରେ ପ୍ରତିକ୍ରିୟା ରଖିଲା ଟିକ୍‌ଟକ୍‌

ନୂଆଦିଲ୍ଲୀ,୩୦।୬: ଭାରତ ଓ ଚାଇନା ମଧ୍ୟରେ ସୀମା ବିବାଦ ଦେଖାଦେବା ପରେ ଲଦାଖ ଘାଟିରେ ଉତ୍ତେଜନା ଜାରି ରହିଛି। ପୂର୍ବରୁ ଦୁଇ ଦେଶ ମଧ୍ୟରେ କମାଣ୍ଡର ସ୍ତରୀୟ ଆଲୋଚନା ହୋଇଥିଲେ ମଧ୍ୟ ଏହାର କୌଣସି ନିଷ୍କର୍ସ ବାହାରିପାରୁ ନାହିଁ। ଅନ୍ୟପଟେ ସୋମବାର ମୋଦି ସରକାର ଦେଶରେ ଟିକ୍‌ଟକ୍‌ ସମେତ ୫୯ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ପ୍ରତିରକ୍ଷା, ସୁରକ୍ଷା ଓ ଗୋପନୀୟତା ଦୃଷ୍ଟିରୁ ସରକାର ଏଭଳି ନିଷ୍ପତ୍ତି ନେଇତିବା ଜଣାପଡ଼ିଛି। ତେବେ ସରକାରଙ୍କ ଏହି ନିଷ୍ପତ୍ତି ପରେ ଏବେ ଟିକ୍‌ଟକ୍‌ ପକ୍ଷରୁ ସ୍ପଷ୍ଟୀକରଣ ରଖାଯାଇଛି। ଯେଉଥିଁରେ କୁହାଯାଇଛି ଯେ, କୌଣସି ୟୁଜର୍ସଙ୍କ ତଥ୍ୟ ଅନ୍ୟ ଦେଶକୁ ଦିଆଯାଇନାହିଁ। ଏପରିକି ଚାଇନାକୁ ମଧ୍ୟ ନୁହେଁ। ସୂଚନାଯୋଗ୍ୟ, ସୋମବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶରେ ୫୯ ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ଆପ୍‌ ମଧ୍ୟରେ ଭାରତରେ ଲୋକପ୍ରିୟତା ସୃଷ୍ଟି କରିଥିବା ଟିକ୍‌ଟକ୍‌ ମଧ୍ୟ ସାମିଲ ରହିଛି। ଏହାକୁ ବ୍ୟାନ କରାଯିବା ସହ ସଂପୃକ୍ତ ବିଭାଗ ପକ୍ଷରୁ ଏକ ସ୍ପଷ୍ଟୀକରଣ ମଗାଯାଇଥିଲ। ମଙ୍ଗଳବାର ଟିକ୍‌ଟକ୍‌ ଇଣ୍ଡିଆ ମୁଖ୍ୟ ନିଖିଲ ଗାନ୍ଧୀ ତଥ୍ୟ ଚୋରି ଉପରେ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ଜୁନ ୨୯ରେ ଟିକ୍‌ଟକ୍‌ ସମେତ ୫୯ ଆପ୍‌କୁ ବ୍ଲକ୍‌ କରିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ତେବେ ସରକାରଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଯାଇ ଟିକ୍‌ଟକ୍‌କୁ ବ୍ଲକ କରିବା ପ୍ରକ୍ରିୟା ଜାରି ରହିଛି। କିନ୍ତୁ ଆପ୍‌ ପକ୍ଷରୁ କୌଣସି ୟୁଜର୍ସଙ୍କ ଗୋପନୀୟତା ଓ ତଥ୍ୟ ଅନ୍ୟ କୌଣସି ଦେଶକୁ ଦିଆଯାଇନାହିଁ। ଏପରିକି ଚାଇନାକୁ ମଧ୍ୟ ଦିଆଯାଇନାହିଁ ବୋଲି ନିଜ ସଫେଇରେ ଟିକ୍‌ଟକ୍‌ ଇଣ୍ଡିଆ ମୁଖ୍ୟ ନିଖିଲ କହିଛନ୍ତି। ଅପରପକ୍ଷେ ଲଦାଖରେ ଉତ୍ତେଜନା ମଧ୍ୟରେ ସରକାରଙ୍କ ଏହି ନିଷ୍ପତ୍ତି ଜରିଆରେ ଚାଇନାକୁ ଏକ କଡ଼ା ଜବାବ ଦିଆଇଛି ବୋଲି ଚର୍ଚ୍ଚା ହେଉଛି।

Share