Categories: ଖେଳ

ତିଳକ ବର୍ମାଙ୍କ ପ୍ରଥମ ଅର୍ଦ୍ଧଶତକ

ଗୁଏନା,୭ା୮: ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଅର୍ଦ୍ଧଶତକ ହାସଲ କରିଛନ୍ତି ତିଳକ ବର୍ମା। କ୍ୟାରିୟରର ଦ୍ୱିତୀୟ ମ୍ୟାଚ୍‌ ଖେଳୁଥିବା ହାଇଦ୍ରାବାଦର ଏହି ୨୦ ବର୍ଷୀୟ ଖେଳାଳିଙ୍କ ୫୧ ରନ୍‌ ବଳରେ ଭାରତ ନିର୍ଦ୍ଧାରିତ ଓଭରରେ ୭ ଉଇକେଟ ହରାଇ ୧୫୨ ରନ୍‌ ସଂଗ୍ରହ କରିଛି। ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଦଳ ଗୋଟିଏ ପରିବର୍ତ୍ତନ ସହ ଓହ୍ଲାଇଥିଲା। ଆହତ କୁଲଦୀପ୍‌ ଯାଦବଙ୍କ ସ୍ଥାନରେ ରବି ବିଷ୍ଣୋଇଙ୍କୁ ସାମିଲ କରାଯାଇଥିଲା।
ଭାରତର ଦୁଇ ଓପନର ଇଶାନ୍‌ କିଶନ୍‌(୨୭) ଓ ଶୁବମାନ ଗିଲ୍‌(୭) ପ୍ରଥମ ଉଇକେଟରେ ୧୬ ରନ୍‌ ଯୋଡିଥିଲେ। ଆଲଜାରି ଯୋଶେଫଙ୍କ ବଲରେ ଗିଲ୍‌ ଆଉଟ ହେବା ପରେ ସୂର୍ଯ୍ୟକୁମାର ଯାଦବ ମଧ୍ୟ ବିଶେଷ କିଛି କରି ପାରି ନ ଥିଲେ। ମାତ୍ର ୧ ରନ୍‌ କରି ସେ କାଇଲ ମେୟର୍ସଙ୍କ ଦ୍ୱାରା ରନ୍‌ ଆଉଟ ହୋଇଥିଲେ। ପ୍ରଥମ ମ୍ୟାଚ୍‌ରେ ୪୧ ରନ୍‌ କରିଥିବା ତିଳକ କ୍ରିଜ୍‌ରେ ଯୋଗ ଦେଇ ଇଶାନ କିଶନଙ୍କ ସହିତ ୪୨ ରନ୍‌ ଯୋଡିଥିଲେ। ଇଶାନ ୨୩ ବଲ୍‌ ଖେଳି ଦୁଇଟି ଲେଖାଏ ଛକା ଓ ଚୌକା ମାରିଥିଲେ। ପରେ ସଞ୍ଜୁ ସାମସନ୍‌ ମାତ୍ର ୭ ରନ୍‌ କରି ଆଉଟ ହେବାରୁ ଭାରତ ୭୬ ରନ୍‌ରେ ୪ ଉଇକେଟ ହରାଇଥିଲା। ତିଳକ ୪୧ ବଲ୍‌ ଖେଳି ୫ ଚୌକା ଓ ୧ ଛକା ସହିତ ୫୧ ରନ୍‌ କରିବାରୁ ଭାରତ ଏକ ସମ୍ମାନ ଜନକ ସ୍କୋରରେ ପହଞ୍ଚିଥିଲା। ମାତ୍ର ୧୩ ବଲ୍‌ ବ୍ୟବଧାନରେ ତିଳକ ବର୍ମା ଓ ହାର୍ଦ୍ଦିକ ପାଣ୍ଡ୍ୟା ୨୪ ରନ୍‌ କରି ଆଉଟ ହେବାରୁ ଭାରତର ସ୍କୋର ୧୫୦ ଛୁଇଁବା ନେଇ ଆଶଙ୍କା ଦେଖା ଦେଇଥିଲା। ଶେଷ ଆଡକୁ ଅକ୍ଷର ପଟେଲ ୧୪, ରବି ବିଷ୍ଣୋଇ ୮* ଓ ଅର୍ଶଦୀପ ସିଂ ୬*ରନ୍‌ ସ୍କୋର କରିବାରୁ ଭାରତର ସ୍କୋର ୧୫୦ ପାର କରିଥିଲା। ଓ୍ବେଷ୍ଟଇଣ୍ଡିଜ୍‌ ପକ୍ଷରୁ ଅଲଜାରି ଯୋଶେଫ୍‌, ଅକିଲ ହୋସେନ ଓ ରୋମାରିଓ ଶେଫର୍ଡ ପ୍ରତ୍ୟେକ ଦୁଇଟି ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଭାରତ ୨୦ ଓଭରରେ ୧୫୨/୭ (ତିଳକ ବର୍ମା-୫୧, ଇଶାନ କିଶନ୍‌-୨୭, ହାର୍ଦ୍ଦିକ ପାଣ୍ଡ୍ୟା-୨୪, ଅଲଜାରି ଯୋଶେଫ୍‌-୨/୨୮, ଅକିଲ ହୋସେନ-୨/୨୯, ରୋମାରିଓ ଶେଫର୍ଡ-୨/୨୮)।

Share