ମୁମ୍ବାଇ,୧୩।୫: ଆଇପିଏଲ୍ ୨୦୨୨ରେ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିବା ଯୁବ ବ୍ୟାଟ୍ସମ୍ୟାନ ତିଳକ ବର୍ମାଙ୍କ ପ୍ରଶଂସାରେ ଶତମୁଖ ହୋଇଛନ୍ତି ଅଧିନାୟକ ରୋହିତ ଶର୍ମା। ସେ ଖୁବ୍ଶୀଘ୍ର ଜାତୀୟ ଦଳରେ ସାମିଲ ହୋଇ ସମସ୍ତ ଫର୍ମାଟରେ ଖେଳିବେ ବୋଲି ଭବିଷ୍ୟବାଣୀ କରିଛନ୍ତି।
ବାମହାତୀ ବ୍ୟାଟ୍ସମ୍ୟାନ ତିଳକ ଦଳର ଅନ୍ୟ ପ୍ରମୁଖ ବ୍ୟାଟ୍ସମ୍ୟାନ୍ ଥାଇ ମଧ୍ୟ ଚଳିତ ସିଜନରେ ମୁମ୍ବାଇର ସବୁଠାରୁ ସଫଳ ବ୍ୟାଟର୍। ସେ ଚଳିତ ସଂସ୍କରଣରୁ ଲଗାତାର ଭାବେ ଭଲ ପ୍ରଦର୍ଶନ କରି ଆସିଛନ୍ତି। ଏଯାବତ ଖେଳାଯାଇଥିବା ୧୨ ମ୍ୟାଚ୍ର ୧୨ ପାଳିରେ ସେ ୧୩୨.୮୫ଷ୍ଟ୍ରାଇକ୍ ରେଟ୍ରେ ୩୬୮ ରନ୍ କରିଛନ୍ତି। ଏଥିରେ ୨ ଅର୍ଦ୍ଧଶତକ ରହିଛି। ତେବେ ଗୁରୁବାର ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଖେଳାଯାଇଥିବା ମୁକାବିଲାରେ ସେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଚାପରେ ଥାଇ ମଧ୍ୟ ୩୨ ବଲ୍ରେ ସେ ୩୪ ରନ୍ର ଅପରାଜିତ ଇନିଂସ ଖେଳି ଦଳକୁ ବିଜେତା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ମ୍ୟାଚ୍ ଶେଷ ହେବା ପରେ ରୋହିତ ତିଳକଙ୍କ ପ୍ରଶଂସା କରି ସେ ଜଣେ ପ୍ରଭାବଶାଳୀ ଖେଳାଳି। ପ୍ରଥମ ଥର ପାଇଁ ଆଇପିଏଲ୍ ଖେଳୁଛନ୍ତି। ପ୍ରଥମରୁ ହିଁ ତାଙ୍କର ଶାନ୍ତ ସ୍ବଭାବ ଚକିତ କରୁଛି। ସେ ଖୁବ୍ଶୀଘ୍ର ଜାତୀୟ ଦଳରୁ ସମସ୍ତ ଫର୍ମାଟରେ ଖେଳୁଥିବାର ନଜର ଆସିବେ। ତାଙ୍କର ଖେଳିବାର ଷ୍ଟାଇଲ ଭଲ। ସେ ଠିକ୍ ବାଟରେ ଚାଲୁଛନ୍ତି। କେବଳ ଜଣେ ଖେଳାଳି ଏବଂ ବ୍ୟକ୍ତି ଭାବେ କିଭଳି ନିଜ ଖେଳରେ ସୁଧାର ଆଣିପାରିବେ ସେନେଇ ପ୍ରଚେଷ୍ଟା କରିବା ଉଚିତ ବୋଲି କହିଛନ୍ତି।