ଟ୍ରାଙ୍କୁଲାଇଜ ପାଇଁ ଜଗିଛି ଟିମ୍‌

ନୀଳଗିରି,୪।୩(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି କୁଲଡ଼ିହା ଅଭୟାରଣ୍ୟରେ ବୁଲୁଛି ଅସୁସ୍ଥ ଦନ୍ତା। ଅସୁସ୍ଥ ଦନ୍ତାର ଚିକିତ୍ସା ଲାଗି ପ୍ରଥମେ ଟ୍ରାଙ୍କୁଲାଇଜ୍‌ କରି ଚିକିତ୍ସା କରିବା ପାଇଁ ବିଶେଷଜ୍ଞ ଟିମ୍‌ ପହଞ୍ଚତ୍ଛି। ହେଲେ ପ୍ରଥମ ଦିନରେ ବନବିଭାଗ ଟ୍ରାଙ୍କୁଲାଇଜ୍‌ କରିବାରେ ବିଫଳ ହୋଇଛି।
ଅଭୟାରଣ୍ୟର ପଞ୍ଚଲିଙ୍ଗେଶ୍ୱର ଜଙ୍ଗଲରେ ଗତ ସୋମବାର ଏକ ଛୁଆ ମାଈହାତୀର ମୃତ୍ୟୁ ଘଟିଥିଲା। ପୁଣି କୁଲଡ଼ିହା ଅଭୟାରଣ୍ୟ ଖୁମକୁଟ ଡ୍ୟାମ୍‌ ନିକଟରେ ଦୁଇଟି ଦନ୍ତା ଲଢ଼େଇ ଲାଗି ଗୋଟିଏ ଦନ୍ତା ଗୁରୁତର ହୋଇପଡ଼ିଥିଲା। ଦନ୍ତା ହାତୀର ବୟସ ୩୦ରୁ ୪୦ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରିଛି। କୁଲଡ଼ିହା ବନାଞ୍ଚଳ ଅଧିକାରୀ ଅନନ୍ତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ପଞ୍ଚଲିଙ୍ଗେଶ୍ୱର ନିକଟ ଖୁମକୁଟ ପାଖରେ ପ୍ରାଣୀ ଚିକିତ୍ସକ ଡା. ମୁକ୍ତିକାନ୍ତ ସେଠୀଙ୍କ ଦ୍ୱାରା ଦନ୍ତାର ଚିକିତ୍ସା ଚାଲିଥିଲା। ଅସୁସ୍ଥତା ବଢ଼ିବା ଯୋଗୁ ୱାଇଲ୍‌ଡଲାଇଫ୍‌ ଟ୍ରଷ୍ଟ ଅଫ୍‌ ଇଣ୍ଡିଆର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରି ଫେରିଥିଲେ। ହାତୀଟି ଅସୁସ୍ଥତା ମଧ୍ୟରେ ଜଙ୍ଗଲରେ ଏକୁଟିଆ ବୁଲୁଥିବା ଦେଖିବାକୁ ପାଇଥିଲେ ବନ କର୍ମଚାରୀ। ତେଣୁ ତାର ଅଧିକ ଚିକିତ୍ସା ଲାଗି ଶୁକ୍ରବାର ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଅଣ୍ଟା ଭିଡ଼ିଥିଲା ବନ ବିଭାଗ। ଅସୁସ୍ଥ ଦନ୍ତା ଜଙ୍ଗଲରୁ ବାହାରିବା ପରେ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଛକି ରହିଥିଲେ ଫିଲ୍ଡ ଡାଇରେକ୍ଟର କମ୍‌ ଆର୍‌ସିସିଏଫ୍‌ ଟି. ଅଶୋକ କୁମାର, ବାଲେଶ୍ୱର ଡିଏଫ୍‌ଓ ଖୁସଓ୍ବନ୍ତ ସିଂହ, କୁଲଡ଼ିହା ରେଞ୍ଜରଙ୍କ ସମେତ ବନ କର୍ମଚାରୀ ଓ ପ୍ରାଣୀ ଚିକିତ୍ସକ, ଟ୍ରାଙ୍କୁଲାଇଜ୍‌ ଟିମ୍‌। କିନ୍ତୁ ଘଞ୍ଚ ଅରଣ୍ୟରେ ହାତୀକୁ ଠାବ କରିଥିଲେ ହେଲେ ପ୍ରଥମ ଦିନରେ ଟ୍ରାଙ୍କୁଲାଇଜ୍‌ କରିବାରେ ବିଫଳ ହୋଇଛନ୍ତି। ଶନିବାର ପୁଣି ପ୍ରୟାସ କରାଯିବ ବୋଲି ବାଲେଶ୍ୱର ଡିଏଫ୍‌ଓ ଖୁସଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି।