Categories: ଖେଳ

ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଅସନ୍ତୋଷ ବ୍ୟକ୍ତ କଲେ ଟିମ୍‌ ପେନ୍‌

ନୂଆଦିଲ୍ଲୀ,୧୯।୮: ଅଷ୍ଟ୍ରେଲିଆର ପୂର୍ବତନ ଟେଷ୍ଟ ଅଧିନାୟକ ଟିମ୍‌ ପେନ୍‌ ସନ୍ନ୍ୟାସରୁ ପ୍ରତ୍ୟାବର୍ତ୍ତନ କରିଥିବା ଇଂଲଣ୍ଡର କିମ୍ବଦନ୍ତୀ କ୍ରିକେଟର ବେନ୍‌ ଷ୍ଟୋକ୍ସଙ୍କ ସମାଲୋଚନା କରିଛନ୍ତି। ୩୨ ବର୍ଷୀୟ ଷ୍ଟୋକ୍ସ ଗତ ବର୍ଷ ଦିନିକିଆ ଫର୍ମାଟରୁ ଅବସର ନେଇଥିଲେ। ହେଲେ ସେ ଏବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତାଙ୍କୁ ଇଂଲଣ୍ଡର ଦିନିକିଆ ଟିମ୍‌ରେ ସାମିଲ ମଧ୍ୟ କରାଯାଇଛି। ଗୋଟିଏ ପଟେ ଇଂଲଣ୍ଡ ଟିମ୍‌ ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ଉତ୍ସାହିତ ଥିବା ବେଳେ ପେନ୍‌ ତାଙ୍କୁ ସ୍ବାର୍ଥୀ ବୋଲି କହିଛନ୍ତି।

ଏକ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ପେନ୍‌ କହିଛନ୍ତି, ଷ୍ଟୋକ୍ସ ଦିନିକିଆକୁ ପୁଣିଥରେ ଫେରିଛନ୍ତି। ଏହା ବେଶ ଆଶ୍ଚର୍ଯ୍ୟଜନକ ଥିଲା। କିଭଳି ଜଣେ ଖେଳାଳି ଏଭଳି ଭାବେ ମ୍ୟାଚ୍‌ ଚୟନ କରିପାରେ। କେବଳ ବଡ଼ ପ୍ରତିଯୋଗିତାକୁ ଖେଳିବା ଲାଗି ବାଛିପାରେ ତାହା ଚିନ୍ତାଜନକ। ଇଂଲଣ୍ଡର ଯେଉଁ କ୍ରିକେଟର ଦୀର୍ଘ ୧୨ ମାସରୁ ବିଶ୍ୱକପ୍‌ ଲାଗି ପ୍ରସ୍ତୁତି ଚଳାଇଛନ୍ତି, ସେମାନଙ୍କ ମଧ୍ୟରୁ ଜଣେ ଷ୍ଟୋକ୍ସଙ୍କ ଯୋଗୁ ବାଦ ପଡ଼ିବେ। ତାଙ୍କ ପ୍ରତି ମୋର ସମବେଦନା ବୋଲି ସେ କହିଛନ୍ତି।

 

 

ଷ୍ଟୋକ୍ସ ଗତ ବର୍ଷ ଜୁଲାଇରେ ଅବସର ନେଇଥିଲେ। ପ୍ରାୟ ଏକ ବର୍ଷ ପରେ ସେ ଦିନିକିଆ କ୍ରିକେଟକୁ ଫେରିଛନ୍ତି। ଇଂଲଣ୍ଡ କ୍ରିକେଟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦିନିକିଆ ସିରିଜ ଖେଳିବ। ଏହି ସିରିଜ ପାଇଁ ଇଂଲଣ୍ଡ ଷ୍ଟୋକ୍ସଙ୍କୁ ଦଳରେ ସ୍ଥାନ ଦେଇଛି। ଏହା ପରେ ବିଶ୍ୱକପ ୨୦୨୩ ମଧ୍ୟ ଆୟୋଜିତ ହେବ। ଏହି ପରିପ୍ରେକ୍ଷୀରେ, ଷ୍ଟୋକ୍ସଙ୍କ ପ୍ରତ୍ୟାବର୍ତ୍ତନ ଇଂଲଣ୍ଡ ପାଇଁ ଲାଭଦାୟକ ପ୍ରମାଣିତ ହୋଇପାରେ। ଷ୍ଟୋକ୍ସ ଜଣେ ଅଭିଜ୍ଞ ଖେଳାଳି ଏବଂ ଏପର୍ଯ୍ୟନ୍ତ ତାଙ୍କର ପ୍ରଦର୍ଶନ ଉତ୍କୃଷ୍ଟ ଅଟେ।

Share