Categories: ଅନୁଗୋଳ

୩ ଜଙ୍ଗଲରୁ ଅବାଧ କାଠ ଚାଲାଣ

ବଇଣ୍ଡା,୧୬।୫(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜର ବିପ୍ରଡିହ, ମଇମୁରା, କେଞ୍ଚୁଆନାଳି ଜଙ୍ଗଲରୁ କିଛିଦିନ ହେବ ଅବାଧ କାଠଚାଲାଣ ହେଉଥିବା ନେଇ କେଞ୍ଚୁଆନାଳି ଗ୍ରାମବାସୀ ଶନିବାର ଅନୁଗୋଳ ଜିଲାପାଳଙ୍କଠାରେ ଅଭିଯୋଗ କରିଛନ୍ତି। ଅଞ୍ଚଳବାସୀ ଦର୍ଶାଇଛନ୍ତି, ଧଣ୍ଡାତୋପା ରେଞ୍ଜରେ ଅନେକ ଘଞ୍ଚ ଜଙ୍ଗଲ ରହିଛି। ଆଠମଲ୍ଲିକ ବନଖଣ୍ଡର ପ୍ରମୁଖ ରେଞ୍ଜ ହୋଇଥିଲେ ମଧ୍ୟ ଏବେ ଏହି ରେଞ୍ଜରେ ଥିବା ଜଙ୍ଗଲଗୁଡିକ ଅସୁରକ୍ଷିତ ହୋଇପଡିଛି। ପ୍ରତ୍ୟେକ ଦିନ କାଠ ମାଫିଆମାନେ କଟର ସାହାଯ୍ୟରେ ମୂଲ୍ୟବାନ ଗଛ କାଟି ବାହାରକୁ ଚାଲାଣ କରୁଥିଲେ ମଧ୍ୟ ବନ ବିଭାଗ ସେମାନଙ୍କୁ ଧରିବାରେ ବିଫଳ ହୋଇଛି।
କେଞ୍ଚୁଆନାଳି ଜଙ୍ଗଲରେ ୧୯୯୪ ମସିହାରେ ୧୦ ହଜାର ଚାରା ଲଗାଯାଇଥିଲା। ସେହିପରି ବିପ୍ରଡିହ ଜଙ୍ଗଲରେ ୧୯୯୫ ମସିହାରେ ୮ ହଜାର ଶାଗୁଆନ, ଶିଶୁ, ପଟାସ ଓ ମଇମୁରା ଜଙ୍ଗଲରେ ୧୯୯୮ ମସିହାରେ ୧୨ ହଜାର ଚାରା ରୋପଣ କରାଯାଇଥିଲା। ସେହି ଗଛଗୁଡିକ ବଡ ହୋଇଯାଇଥିବାରୁ ଜଙ୍ଗଲ ଏବେ ପରିପୂର୍ଣ୍ଣ ହୋଇଯାଇଛି। ତେବେ ଉକ୍ତ ଜଙ୍ଗଲ ଉପରେ ଏବେ କାଠ ଚୋରଙ୍କ ନଜର ପଡିଛି। ଦୈନିକ ବିଳମ୍ବିତ ରାତିରେ ଶାଗୁଆନ, ଶିଶୁ, ପଟାସ ଆଦି ମୂଲ୍ୟବାନ ଗଛଗୁଡିକ କାଟି ନିଆଯାଉଛି। ଜଙ୍ଗଲରେ ତାହାକୁ ଗଣ୍ଡି କରାଯିବା ପରେ ସୁବିଧା ଦେଖି ସେଗୁଡିକ ଟ୍ରାକ୍ଟର ଯୋଗେ ଗୁପ୍ତ ଜାଗାକୁ ଆଣି ଗଚ୍ଛିତ କରି ରଖାଯାଉଛି। ଏହାପରେ ସୁବିଧା ସୁଯୋଗ ଦେଖି କରତ ସାହାଯ୍ୟରେ ପଟା କରି ବାହାରକୁ ଚାଲାଣ କରାଯାଉଛି। ବନ ବିଭାଗର କେତେଜଣ କର୍ମଚାରୀଙ୍କୁ ହାତ କରି ଏହି ଚୋରା ଚାଲାଣ ରିତିମତ ଜାରି ରହିଛି। ଉକ୍ତ ୩ ଜଙ୍ଗଲର ସୁରକ୍ଷା ପାଇଁ ବିଭାଗ ପକ୍ଷରୁ ବହୁ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହଁି। ବିଭାଗୀୟ କର୍ମଚାରୀମାନେ ଜଙ୍ଗଲରେ ରାତ୍ରି ପାଟ୍ରୋଲିଂ କରୁ ନ ଥିବାରୁ କାଠ ଚୋରମାନେ ନିୟମିତ କାଠ ଚୋରି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ୩ ଜଙ୍ଗଲ ପଦା ହୋଇଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏ ନେଇ ଧଣ୍ଡାତୋପା ରେଞ୍ଜର ବବ୍ରୁବାହନ ସାହୁ କହିଛନ୍ତି, ବନ ବିଭାଗ ପକ୍ଷରୁ ଉକ୍ତ ଜଙ୍ଗଲଗୁଡ଼ିକ ଉପରେ ୨୪ ଘଣ୍ଟିଆ ନଜର ରଖାଯାଇଛି। ସେଭଳି କୌଣସି କାଠ ଚାଲାଣ ହେଉଥିବା ମୋ ନିକଟରେ ସୂଚନା ନାହିଁ। ଖୁବ୍‌ଶୀଘ୍ର ତଦନ୍ତ କରାଯିବ।