କାଳ ସାଜୁଛି ବିଳମ୍ବ ରିପୋର୍ଟ

ଭୁବନେଶ୍ୱର,୨୧।୯(ବ୍ୟୁରୋ): କରୋନାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ସବୁପ୍ରକାର ବଳ ଲଗାଇଛନ୍ତି। ଚିକିତ୍ସାଠାରୁ ଆରମ୍ଭ କରି ସଚେତନତା ଓ କଟକଣା କ୍ଷେତ୍ରରେ ବ୍ୟାପକ ପଦକ୍ଷେପ ନିଆଯାଉଛି। ତଥାପି ସଂକ୍ରମଣ ବଢ଼ି ଚାଲିଥିବାରୁ ଏବେ ନାନା ତର୍ଜମା ଚାଲିଛି। ଇତିମଧ୍ୟରେ କେତେକ ପ୍ରମୁଖ କାରଣକୁ ଖୋଜି ପାଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ବିଳମ୍ବ କରୋନା ରିପୋର୍ଟ ଓ ନିୟମ ଉଲ୍ଲଂଘନ ଯୋଗୁ ସଂକ୍ରମଣ ରୋକି ହେଉ ନ ଥିବା ସେମାନେ କହିଛନ୍ତି। ବରିଷ୍ଠ ସ୍ବାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ର କହିଛନ୍ତି, ଓଡ଼ିଶାରେ କରୋନା ସଂକ୍ରମଣ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଇବାର କାରଣ ହେଉଛି କରୋନା ପରୀକ୍ଷଣ ରିପୋର୍ଟ ଆସିବାରେ ବିଳମ୍ବ ଏବଂ ଅମାନିଆ ବ୍ୟକ୍ତି। ପରୀକ୍ଷଣର ୨ରୁ ୪ଦିନ ପରେ ରିପୋର୍ଟ ଆସୁଛି। ସେତେବେଳକୁ ଆକ୍ରାନ୍ତମାନେ ଅନ୍ୟମାନଙ୍କୁ ସଂକ୍ରମିତ କରୁଛନ୍ତି। ବିଶେଷକରି ଯେଉଁମାନଙ୍କର ଲକ୍ଷଣ ନାହିଁ କିମ୍ବା ସ୍ବଳ୍ପ ଲକ୍ଷଣ ରହିଛି, ସେମାନେ ବାହାରେ ବୁଲିବା ଦ୍ୱାରା ସଂକ୍ରମଣ ବଢୁଛି। କୋଭିଡ୍‌ ରିପୋର୍ଟ କିଭଳି ଶୀଘ୍ର ଆସି ପାରିବ ସେନେଇ ରାଜ୍ୟ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ସଂକ୍ରମଣ ବ୍ୟାପିବାର ଆଉଏକ କାରଣ ଅମାନିଆ ବ୍ୟକ୍ତି ବୋଲି ସେ କହିଛନ୍ତି। ଲୋକେ ସତର୍କ ନ ହେଲେ ସଂକ୍ରମଣ ଆହୁରି ବଢିବ। ସମସ୍ତେ ନିୟମ ମାନି ସତର୍କ ହୋଇ ରହିଲେ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇବ। ନଭେମ୍ବର ୧୭ ବେଳକୁ ଓଡିଶାରେ କରୋନା ସଂକ୍ରମଣ କମିଯିବ ବୋଲି ସେ ପୂର୍ବାନୁମାନ କରିଛନ୍ତି। ଭୁବନେଶ୍ୱର ସହର ୮ଦିନ ହେବ ପିକ୍‌ ସମୟ ଅତିକ୍ରମ କରିସାରିଲାଣି। ଆକ୍ଟିଭ କେସ୍‌ ଏବେ କମ୍‌ ଥିବାବେଳେ ଆରୋଗ୍ୟ ହାର ମଧ୍ୟ ବଢୁଛି। ସେହିପରି କଟକରେ ଟିକେ ସମୟ ଲାଗୁଛି। ଆଉ ୫ରୁ ୧୦ ଦିନ ଭିତରେ କଟକରେ ବି ଧୀରେ ଧୀରେ କମିଯିବ ବୋଲି ସେ କହିଛନ୍ତି। ତେବେ ୱାଶିଂଟନ ବିଶ୍ୱବିଦ୍ୟାଳୟର ଆଇଏଚ୍‌ଏମ୍‌ କରିଥିବା ଆକଳନକୁ ଭୁଲ୍‌ ବୋଲି ସେ କହିଛନ୍ତି। ଆସନ୍ତା ଜାନୁୟାରୀ ବେଳକୁ କରୋନାରେ ଦିନକୁ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇପାରେ ବୋଲି ଆଇଏଚଏମ୍‌ ଆକଳନ କରିଥିଲା। ହେଲେ ସେତେବେଳକୁ ଭ୍ୟାକ୍ସିନ୍‌ ଆସିଯାଇଥିବ। ଡିସେମ୍ବରରେ ଭ୍ୟାକ୍ସିନ୍‌ ଆସିବାର ଅଧିକ ସମ୍ଭାବନା ଥିବାରୁ ସେଭଳି ପରିସ୍ଥିତି ସୃଷ୍ଟି ହେବନି ବୋଲି ମିଶ୍ର ଦୃଢତାର ସହ କହିଛନ୍ତି।

Share