Categories: ଜାତୀୟ

ଗର୍ଭପାତ ସମୟ ସୀମା ବଢ଼ିଲା

ନୂଆଦିଲ୍ଲୀ, ୧୪ା୧୦: ଗର୍ଭପାତ ସମ୍ପର୍କରେ କେନ୍ଦ୍ର ସରକାର ନିୟମରେ ସଂଶୋଧନ ଆଣିଛନ୍ତି। ଏଥିରେ କିଛି ନିର୍ଦ୍ଦିଷ୍ଟ ଶ୍ରେଣୀର ମହିଳାଙ୍କ ନିମନ୍ତେ ଗର୍ଭପାତ ସମୟ ୨୦ରୁ ୨୪ ସପ୍ତାହକୁ ବୃଦ୍ଧି କରାଯାଇଥିବା ନେଇ ବୁଧବାର ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମେଡିକାଲ ଟର୍ମିନେଶନ ଅଫ୍‌ ପ୍ରେଗ୍‌ନାନ୍ସି (ସଂଶୋଧନ) ନିୟମ-୨୦୨୧ ଅନୁସାରେ ଯୌନ ନିର୍ଯାତନା, ବଳାତ୍କାର ପୀଡ଼ିତା, ନାବାଳିକା, ଗର୍ଭବତୀ ଥିବାବେଳେ ବୈବାହିକ ସ୍ଥିତିରେ ପରିବର୍ତ୍ତନ (ବିଧବା କିମ୍ବା ଛାଡ଼ପତ୍ର) ହୋଇଥିଲେ କିମ୍ବା ଭିନ୍ନକ୍ଷମ ମହିଳା ଉକ୍ତ ବର୍ଗରେ ରହିବେ। ମାନସିକ ରୋଗରେ ମହିଳା ପୀଡ଼ିତ ଥିଲେ, ଗର୍ଭସ୍ଥ ଶିଶୁ ଗୁରୁତର ଭାବେ ଭିନ୍ନକ୍ଷମ ହୋଇ ଜନ୍ମ ନେବାର ଆଶଙ୍କା ରହିଥିଲେ କିମ୍ବା ଜନ୍ମ ପରେ ଶିଶୁର ଜୀବନ ପ୍ରତି ବିପଦ ଥିଲେ ମଧ୍ୟ ନୂଆ ନିୟମ ଏହି କ୍ଷେତ୍ରରେ ଲାଗୁ ହେବ। ଏହାବାଦ୍‌ ମାନବୀୟ ସଙ୍କଟ ସ୍ଥିତି କାଳରେ କିମ୍ବା ବିପର୍ଯ୍ୟୟ ତଥା ସରକାରଙ୍କ ଦ୍ୱାରା ଜରୁରିକାଳୀନ ସ୍ଥିତି ଘୋଷଣା ହୋଇଥିବା ସମୟରେ ମଧ୍ୟ ମହିଳାଙ୍କ ଗର୍ଭପାତ ପାଇଁ ଅନୁମତି ମିଳିଛି। ପୂର୍ବରୁ ୧୨ ସପ୍ତାହ ମଧ୍ୟରେ ଗର୍ଭପାତ କରାଇଲେ ଜଣେ ଡାକ୍ତର ଏବଂ ୧୨ରୁ ୨୦ ସପ୍ତାହ ମଧ୍ୟରେ ହେଲେ ୨ ଡାକ୍ତରଙ୍କ ମତ ଆବଶ୍ୟକ ପଡ଼ୁଥିଲା। ନୂଆ ନିୟମ ଅନୁସାରେ, ଗର୍ଭସ୍ଥ ଶିଶୁ ମାନସିକ କିମ୍ବା ଶାରୀରିକ ଭାବେ ଗୁରୁତର ଭିନ୍ନକ୍ଷମ ହେବାର ଆଶଙ୍କା ଥିଲେ କିମ୍ବା ଏହାର ଜୀବନ ପ୍ରତି ବିପଦ ଥିଲେ ୨୪ ସପ୍ତାହ ପରେ ଗର୍ଭପାତ କରାଇବା ନିମନ୍ତେ ରାଜ୍ୟସ୍ତରରେ ଏକ ମେଡିକାଲ ବୋର୍ଡ ଗଠନ କରାଯିବ। ଏହି ବୋର୍ଡ ସମ୍ପୃକ୍ତ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟ ଯାଞ୍ଚ କରିବା ପରେ ଆବେଦନର ୩ ଦିନ ମଧ୍ୟରେ ଗର୍ଭପାତ ପାଇଁ ଅନୁମତି ଦେବ।

Share