Categories: ଜାତୀୟ

‘ଚାଇନା ନୀତିକୁ ପୁନଃସମୀକ୍ଷା କରିବାର ସମୟ ଆସିଛି’

ନୂଆଦିଲ୍ଲୀ,୩୦।୮: ଚାଇନାର ନୂତନ ମାନଚିତ୍ରରେ ଅରୁଣାଚଳ ପ୍ରଦେଶ ଏବଂ ଅକ୍ସାଇ ଚୀନକୁ ନିଜ ଭୁଖଣ୍ଡର ଅଂଶ ବୋଲି ଦାବି କରିଛି। ଏହା ଉପରେ ଦୃଢ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତା ମନୀଷ ତିୱାରୀ ମୋଦି ସରକାରଙ୍କୁ ଚାଇନା ନୀତିର ପୁନର୍ବିଚାର କରିବାକୁ ପରାମର୍ଶ ଦେଇଛନ୍ତି। ଏହା ସହିତ ସେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ବୈଠକରେ ଚାଇନାର ଆତିଥ୍ୟଠାରୁ ଦୂରରେ ରହିବାକୁ ସେ କହିଛନ୍ତି।
ମନୀଷ ତିୱାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି,ଚାଇନା ଲାଇନ ଅଫ ଆକ୍‌ଚୁଆଲ କଣ୍ଟ୍ରୋଲ (ଏଲଏସି)ରେ ଏହାର ଭିତ୍ତିଭୂମିକୁ ମଜଭୁତ କରୁଛି। ଭାରତୀୟ ଅଞ୍ଚଳକୁ ନିଜର ବୋଲି ଦର୍ଶାଇ ମାନଚିତ୍ରଗୁଡିକ ପ୍ରକାଶ କରୁଛି। ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଏନ୍‌ଡିଏ-ଭାଜପା ସରକାରଙ୍କ ପାଇଁ ‘ଓ୍ବାନ୍‌ ଚାଇନା ପଲିସି’କୁ ପୁନର୍ବାର ଚିନ୍ତା କରିବାକୁ ସମୟ ଆସିଛି।
ଏଥିସହ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଜି-୨୦ ସମୟରେ ଚାଇନା ପାଇଁ ଆତିଥ୍ୟ ସ୍ତରକୁ ଗୁରୁତର ସହ ପରୀକ୍ଷା କରିବା ଉଚିତ। ଜୁନ ୨୦୨୦ରେ ସେମାନେ (ଚାଇନା) ଆମର ୨୦ ଜଣ ସାହସୀ ସୈନିକଙ୍କୁ ଗଲଓ୍ବାନରେ ହତ୍ୟା କରିଥିଲେ। ଏହା ବ୍ୟତୀତ, ରଣନୈତିକ ବିଶ୍ଳେଷଣକାରୀଙ୍କ ଅନୁଯାୟୀ, ଗତ ୪୧ ମାସ ଧରି ଚାଇନା ଅତି କମରେ ୨୦୦୦ ବର୍ଗ କିଲୋମିଟର ଭାରତୀୟ ଅଞ୍ଚଳକୁ ବେଆଇନ ଦଖଲ ଜାରି ରଖିଛି।

Share