‘ମାମଲା ଦୁର୍ବଳ କରିବାକୁ ସମୟ ଗଡ଼ାଅ’

କେନ୍ଦୁଝର,୨୭ା୮(ନରେଶ ଚନ୍ଦ୍ର ପଟ୍ଟନାୟକ)ବିଚାରପତି ବଦଳିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। କେସ୍‌କୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରିବା ଏବଂ ପିପିଙ୍କୁ କିଛି ଦେଇ ସମୟ ବଢାଇବାକୁ ପଡ଼ିବ। ଏହି ବାର୍ତ୍ତାଳପ କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ପବ୍ଲିକ ପ୍ରସିକ୍ୟୁଟରଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ ଓ ବିଭାଗ ହାତରେ ଧରାପଡ଼ିଥିବା ଜଣେ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଛି। ଯାହାର ଅଡିଓ କ୍ଲିପ୍‌ ଏବେ ଭାଇରାଲ ହେବାରେ ଲାଗିଛି। ମହିଳା କର୍ମଚାରୀ କେସ୍‌କୁ କୋହଳ କରିବା ପାଇଁ ତଥ୍ୟ ଯୋଗାଇବା ଏବଂ ସେ ବାବଦକୁ ଲାଞ୍ଚ ମାଗୁଥିବା ଭାଇରାଲ ଅଡିଓରୁ ସ୍ପଷ୍ଟ ଭାବେ ଜଣାପଡ଼ିଛି। ଅଡିଓ କେବେ ରେକର୍ଡ ହୋଇଛି, ଅଭିଯୁକ୍ତ କିଏ ଏବଂ କିପରି ଅଡିଓ ଭାଇରାଲ ହେଲା ସେ ନେଇ ଠିକ୍‌ ଭାବେ ଜଣାପଡ଼ି ନ ଥିଲେ ହେଁ ମହିଳା କର୍ମଚାରୀଙ୍କ ଜଣଙ୍କ ଭିଜିଲାନ୍ସ ମହିଳା କନଷ୍ଟେବଳ ସାଗରିକା ବାରିକ। ଘଟଣା ପରେ ତାଙ୍କୁ ବାଲେଶ୍ୱର ପୋଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି।
ପ୍ରକାଶ ଯେ, ମହିଳା କର୍ମଚାରୀ ସାଗରିକାଙ୍କ ସହ ଅଭିଯୁକ୍ତଙ୍କ ବିଭିନ୍ନ ସମୟର କଥାବର୍ତ୍ତାର ଅନେକ ଅଡିଓ ଭାଇରାଲ ହୋଇଛି। ସବୁଥିରେ କର୍ମଚାରୀ ଜଣଙ୍କ କିପରି ସାକ୍ଷୀମାନଙ୍କୁ ପ୍ରଭାବିତ କରିବେ ସେନେଇ ଅଭଯୁକ୍ତଙ୍କୁ ଉପାୟ ବତାଇଛନ୍ତି। ଅନ୍ୟ ଏକ କ୍ଲିପ୍‌ରେ ସେ କହିଛନ୍ତି ଯେ, ପିପି ରାଗି କି ସାକ୍ଷୀ ପକାଇବାକୁ କହୁଛନ୍ତି। ଏଣୁ ପିପିଙ୍କୁ କିଛି ଦେବାକୁ ପଡ଼ିବ। ଅନ୍ୟ ଏକ ଅଡିଓରେ ହାତୁଡ଼ିରେ ପିଟିବା ଅପେକ୍ଷା ବାଡିରେ ପିଟିବା ଭଲ ଭଳି କେସ୍‌କୁ ଧୀରେ ଧୀରେ ଆଗକୁ ଗଡ଼ାଇଲେ ଦୁର୍ବଳ ହୋଇଯିବ ବୋଲି କହୁଛନ୍ତି। ଏ ନେଇ କେନ୍ଦୁଝର ଭିଜିଲାନ୍ସ ଏସ୍‌ପି ନରହରି ନାଏକ କହିଛନ୍ତି, ଘଟଣାରେ ମହିଳା କନଷ୍ଟେବଳଙ୍କୁ ବାଲେଶ୍ୱର ଭିଜିଲାନ୍ସ ମୁଖ୍ୟାଳୟକୁ ବଦଳି କରାଯାଇଛି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଭିଜିଲାନ୍ସ କୋର୍ଟର ପିପି ଦେବଦତ୍ତ ବିଶ୍ୱାଳ କହିଛନ୍ତି, ସେ ଏ ସମ୍ପର୍କରେ ଅବଗତ ନୁହନ୍ତି। ଯଦି କେହି ତାଙ୍କ ନାମ ଧରିଥିବେ, ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଘଟଣା ପରେ ଲାଞ୍ଚ କାରବାର ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଥିବା ବିଭାଗର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଘଟଣାର ଠିକ୍‌ ତଦନ୍ତ ହେଲେ ସବୁ କିଛି ଜଣାପଡ଼ିବ ବୋଲି ମତପ୍ରକାଶ ପାଉଛି।