ନୂଆଦିଲ୍ଲୀ,୨୬।୪ : ଦେଶରେ ଏବେ ସୁନାମି ଭଳି ମାଡ଼ି ଚାଲିଛି କୋଭିଡ୍-୧୯ ସଂକ୍ରମଣ। ଏଭଳି ପରିସ୍ଥିତି ଯୋଗୁ କେବଳ ବାହାରେ ନୁହେଁ ଘରେ ମଧ୍ୟ ମାସ୍କ ପିନ୍ଧିବାର ସମୟ ଆସିଯାଇଛି ବୋଲି ସୋମବାର କେନ୍ଦ୍ର ସରକାର କହିଛନ୍ତି।
ଏକ ଖବରଦାତା ସମ୍ମିଳନୀରେ ନୀତି ଆୟୋଗ (ସ୍ବାସ୍ଥ୍ୟ)ର ସଦସ୍ୟ ଡ. ଭିକେ ପଲ କହିଛନ୍ତି, ଆମେ ଏପର୍ଯ୍ୟନ୍ତ ଘର ବାହାରେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦେଉଥିଲୁ। କିନ୍ତୁ ମହାମାରୀ ଏବେ ବ୍ୟାପିଗଲାଣି। ଯଦି ପରିବାରରେ କେହି କୋଭିଡ୍-୧୯ ଆକ୍ରାନ୍ତ ଥାନ୍ତି, ତେବେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ମାସ୍କ ପିନ୍ଧିବା ଜରୁରୀ। ନ ହେଲେ ଏହି ଭାଇରସ ପରିବାରର ଅନ୍ୟ ସଦସ୍ୟଙ୍କୁ ଆକ୍ରାନ୍ତ କରିପାରେ। ଆଉ ଆକ୍ରାନ୍ତ ବ୍ୟକ୍ତି ସମସ୍ତଙ୍କ ଠାରୁ ଅଲଗା ରହିବା ନିହାତି ଦରକାର।
କୌଣସି ବ୍ୟକ୍ତିଠାରେ ଲକ୍ଷଣ ଦେଖାଦେଲେ, ରିପୋର୍ଟକୁ ଅପେକ୍ଷା ନ କରି ଆଇସୋଲେଶନରେ ରହିବା ଉଚିତ। କାରଣ ଆରଟି-ପିସିଆର ରିପୋର୍ଟ ଭୁଲ ହୋଇଥାଇ ପାରେ ବୋଲି ଏମ୍ସ ମୁଖ୍ୟ ଡ. ରଣଦୀପ ଗୁଲେରିଆ କହିଛନ୍ତି।