ଲାଖଚାଷ, ଲାଖ ସାମଗ୍ରୀ ବିକି ଲାଭବାନ୍‌ ହେବାକୁ ପରାମର୍ଶ

ଚନ୍ଦାହାଣ୍ଡି, ୪।୩(ଡି.ଏନ୍‌.ଏ.): ନବରଙ୍ଗପୁର ସିଡିଓ ଅନ୍ୟା ଦାଶ ଚନ୍ଦାହାଣ୍ଡି ବ୍ଲକ ଗସ୍ତକରି ବିଭିନ୍ନ ଉନ୍ନୟନ କାର୍ଯ୍ୟ ବୁଲି ଦେଖିଥିଲେ। ଏଥିସହ ସେ ଲାଖ ଚାଷକରି ରୋଜଗାରକ୍ଷମ ହେବାକୁ ଏସ୍‌ଏଚ୍‌ଜି ମହିଳାଙ୍କୁ ପରାମର୍ଶ ଦେଇଥିଲେ।
ବ୍ଲକ ପରିସରର ଶିଶୁ ଉଦ୍ୟାନ, ଧୋଡ଼ିପାଣି ସପ୍ତାହିକ ହାଟ, ଖଲିଆବନ୍ଧର କାମ ବୁଲି ଦେଖିଥିଲେ। ଏଥିସହ ପାଟଖଲିଆ ପଞ୍ଚାୟତରେ ଲାଖ ପ୍ରୋସେସିଂ ଗୃହ ରେ ଲାଖଚାଷ ସମ୍ପର୍କରେ ପଞ୍ଚାୟତର ସ୍ବୟଂ ସହାୟିକା ଗୋଷ୍ଠୀ ମହିଳାଙ୍କୁ ଲାଖଚାଷ ସମ୍ପର୍କରେ ବୁଝାଇଥିଲେ। ବିଶେଷକରି ଲାଖଶିଳ୍ପରେ ତାଲିମ ନେବା ସହ ଲାଖରେ ପ୍ରସ୍ତୁତ ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରିକରି ଲାଭବାନ୍‌ ହେବାକୁ ସେ ପରାମର୍ଶ ଦେଇଥିଲେ। ଏଥିରେ ଓର୍‌ମାସ ମାର୍କେଟିଂ ହେଡ୍‌ ଉମା ମହେଶ ଯୋଗଦେଇ ଉପସ୍ଥିତ ମହିଳାମାନଙ୍କୁ ଲାଖ ପ୍ରସ୍ତୁତ ସାମଗ୍ରୀ ଦେଖାଇବା ସହ ଏଥିରେ କେତେ ଲାଖ ଖର୍ଚ୍ଚ ହେଉଛି ଏବଂ ଲାଭ କେତେ ମିଳୁଛି ସେ ସମ୍ପର୍କରେ ବୁଝାଇଥିଲେ। ମିଶନ ଶକ୍ତିରୁ ହର୍ଷାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ। ମିଶନ ଶକ୍ତି ମାଧ୍ୟମରେ ବିଭିନ୍ନ ଶିଳ୍ପ ବାବଦରେ ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ତାଲିମ ପ୍ରଦାନ କରି ଋଣ ଯୋଗାଇ ଦିଆଯିବ ବୋଲି ସେ ବୁଝାଇଥିଲେ। ଅନ୍ୟା ଦାଶ ଲାଖଚାଷୀଙ୍କୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରିଥିଲେ। ଉତ୍ପାଦିତ ଲାଖ ବିକ୍ରି ପାଇଁ କୌଣସି ବଜାର ବ୍ୟବସ୍ଥା ନ ଥିବାରୁ ବାଧ୍ୟହୋଇ କମ୍‌ ଦରରେ ଛତିଶଗଡ଼ ବେପାରୀଙ୍କୁ ବିକିବାକୁ ବାଧ୍ୟ ହେଉଛନ୍ତି ବୋଲି ଲାଖଚାଷୀ କହିଥିଲେ। ଏହି ସମସ୍ୟା ଯୋଗୁ ଚାଷୀମାନେ ଚାଷରୁ ମୁହଁ ଫେରାଉଛନ୍ତି ବୋଲି ସେମାନେ କହିଥିଲେ। ଏହାଛଡ଼ା ଆଇଟିଡିଏ ପକ୍ଷରୁ ସ୍ଥାପନ କରାଯାଇଥିବା ଲାଖ ପ୍ରୋସେସିଂ ମେଶିନ ସବୁ ଅଚଳ ହୋଇ ପଡ଼ିବା ସହ ଏଥିରେ କଳଙ୍କି ଲାଗିଯାଇଛି। ସେସବୁର ଶୀଘ୍ର ମରାମତି ପାଇଁ ପୂର୍ବତନ ସରପଞ୍ଚ ହର ପୂଜାରୀ ସିଡିଓଙ୍କୁ ଅନୁରୋଧ କରିଥିଲେ। ଉତ୍ପାଦିତ ଲାଖ ଓର୍‌ମାସ ପକ୍ଷରୁ କିଣାଯିବା ସହ ଲାଖ ପ୍ରୋସେସିଂ ମେଶିନକୁ ଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ସିଡିଓ ପ୍ରତିଶ୍ରୁତି ଦେଇଥିଲେ l ବିରି, କାନ୍ଦୁଲ, ତେନ୍ତୁଳି ଏବଂ ମାଣ୍ଡିଆ ଚାଷ ଏବଂ ଏହାର ଶିଳ୍ପ ଉପରେ ଅଧିକ ଗୁରୁତ୍ୱ ଦେଇ ଆଦିବାସୀଙ୍କ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବିଶେଷ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଥିଲେ। ଏହା ପରେ ବ୍ଲକ ସଭାଗୃହରେ ଚାଷୀମାନଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ଛତୁଚାଷ, ମାଛଚାଷ, ଛେଳି ପାଳନ, କୁକୁଡ଼ା ଫାର୍ମ କରି ଅଧିକ ଲାଭବାନ୍‌ ହେବାକୁ ସେ ଚାଷୀଙ୍କୁ ଆହ୍ବାନ ଦେଇଥିଲେ l ଏହି ଅବସରରେ ବିଡିଓ ଧର୍ମରାଜ ମାଝି, ସିଡିପିଓ ସୈରେନ୍ଦ୍ରୀ ମହାନନ୍ଦ, ପରିଦର୍ଶିକା ଦଳିଲା ଖୋସଲା, ସହକାରୀ ଯନ୍ତ୍ରୀ ଥୟ ପଟେଲ, କନିଷ୍ଠ ଯନ୍ତ୍ରୀ ଚନ୍ଦନ ଦଳାଇ, ଅଙ୍ଗନୱାଡି କର୍ମୀ ଏବଂ ପଞ୍ଚାୟତ ପିଇଓ, କର୍ମଚାରୀମାନେ ଉପସ୍ଥିତ ଥିଲେ।