Categories: ଜାତୀୟ

୧ ଯାଏ ପୋଲିସ ହାଜତରେ ରହିବେ ତୀସ୍ତା

ମୁମ୍ବାଇ, ୨୭ା୬: ଗିରଫ ସାମାଜିକ କର୍ମୀ ତୀସ୍ତା ସିତଲଓ୍ବାଡ୍‌ଙ୍କୁ ଜୁଲାଇ ୧ ପର୍ଯ୍ୟନ୍ତ ପୋଲିସ ହାଜତକୁ ପଠାଇ ଦିଆଯାଇଛି। ୨୦୦୨ ଗୁଜରାଟ ଦଙ୍ଗା ମାମଲାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୁପ୍ରିମକୋର୍ଟ କ୍ଲିନଚିଟ୍‌ ଦେବାର ଦିନକ ପରେ ତୀସ୍ତାଙ୍କୁ ଶନିବାର ମମ୍ବାଇରେ ଗିରଫ କରାଯାଇଥିଲା।

ଗିରଫ ପୂର୍ବତନ ଆଇପିଏସ୍‌ ଅଧିକାରୀ ଆର. ବି. ଶ୍ରୀକୁମାରଙ୍କୁ ମଧ୍ୟ ଜୁଲାଇ ୧ ପର୍ଯ୍ୟନ୍ତ ପୋଲିସ ହାଜତକୁ ପଠାଯାଇଛି। ୨ ତାରିଖରେ ସେମାନଙ୍କୁ ଅହମଦାବାଦ କୋର୍ଟରେ ହାଜର କରାଯିବ। ତୀସ୍ତା, ଶ୍ରୀକୁମାରଙ୍କ ନାଁରେ ଠକିବା ଉଦ୍ଦେଶ୍ୟରେ ଜାଲିଆତି, ଜାଲ୍‌ ଦସ୍ତାବିଜ୍‌ ଓ ପ୍ରମାଣପତ୍ର ଦେବା, ସରକାରୀ କର୍ମଚାରୀ ହୋଇ ଭୁଲ୍‌ ରେକର୍ଡ ପ୍ରସ୍ତୁତ, ଆପରାଧିକ ଷଡ଼ଯନ୍ତ୍ର ଆଦି ଅଭିଯୋଗରେ ମାମଲା ରୁଜୁ ହୋଇଛି।

ତତ୍କାଳୀନ ଗୁଜରାଟ ସରକାର ଦଙ୍ଗାବେଳେ ପୋଲିସକୁ ତା’ କାର୍ଯ୍ୟ କରିବାରୁ ରୋକିଥିଲେ ବୋଲି ଶ୍ରୀକୁମାର ଅଭିଯୋଗ ଆଣିଥିଲେ। ଗିରଫଦାରି ପୂର୍ବରୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ସାକ୍ଷାତକାରରେ ତୀସ୍ତା ଦଙ୍ଗା ବାବଦରେ ଭୁଲ୍‌ ତଥ୍ୟ ଦେଇ ବିଭ୍ରାନ୍ତ କରିଥିବା କହିଥିଲେ। ତିସ୍ତାଙ୍କ ଏକ ଏନ୍‌ଜିଓ ପକ୍ଷରୁ କେତେଜଣ ଭାଜପା କର୍ମୀଙ୍କ ବିରୋଧରେ ମିଛ ଦସ୍ତାବିଜ ପୋଲିସକୁ ଦିଆଯାଇଥିଲା ବୋଲି ଶାହା ଅଭିଯୋଗ କରିଥିଲେ।

Share