୩ମାସର ଦରମା ନ ମିଳିବାରୁ ଟିଟାନିୟମ କମ୍ପାନୀର କର୍ମଚାରୀଙ୍କ ଆନ୍ଦୋଳନ

ଛତ୍ରପୁର,୪।୧୦(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ସ୍ଥିତ ସରାଫ ଟିଟାନିୟମ କମ୍ପାନୀର କର୍ମଚାରୀ କରିଛନ୍ତି ଆନ୍ଦୋଳନ। ତିନି ମାସ ହେଲା ଦରମା ମିଳୁ ନ ଥିବାରୁ ଆଜି ଶାନ୍ତିପୂର୍ଣ୍ଣ ଭାବେ କମ୍ପାନୀ ଫାଟକ ସମ୍ମୁଖରେ ଆନ୍ଦୋଳନ କରିଛନ୍ତି ଭୂ-ବିସ୍ଥାପିତ କଲ୍ୟାଣ ସମିତି। ଏସ. ଚକ୍ରପାଣି ରେଡ୍ଡୀଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ କରାଯାଇଛି। ୩ମାସ ହେଲା ୧୭୨ଜଣ ସ୍ଥାୟୀ କର୍ମଚାରୀମାନଙ୍କୁ ଦରମା ମିଳିନାହିଁ । ଜମି ଦେଲୁ, ଶ୍ରମ ଦେଲୁ, କମ୍ପାନୀ ଗଢିବାରେ ସମ୍ପୁର୍ଣ୍ଣ ସହଯୋଗ କଲୁ ମାତ୍ର, କମ୍ପାନୀ କର୍ତ୍ତୃପକ୍ଷ ଆମକୁ ଆମ ପରିଶ୍ରମର ପ୍ରାପ୍ୟ ଦେବାରେ ଅବହେଳା କରିଚାଲଛନ୍ତି । ଏନେଇ ବାରମ୍ବାର କମ୍ପାନୀ କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଲେ ବି କେହି ଶୁଣୁ ନାହାନ୍ତି, ଏପରିକି ଅଗଷ୍ଟ ୨୬ରେ ଛତ୍ରପୁର ଶ୍ରମଅଧିକାରୀଙ୍କୁ ଭେଟି ଏହି ଘଟଣା ସମ୍ପର୍କରେ କହିବା ପରେ ମଧ୍ୟ୍ୟ କୌଣସି ସୁଫଳ ମିଳି ନ ଥିବାରୁ ବୁଧବାର ଦିନ ଏହି ଆନ୍ଦୋଳନ କରାଯାଇଛି ବୋଲି କର୍ମଚାରୀମାନେ କହିଛନ୍ତି। ପୂର୍ବରୁ କମ୍ପାନୀ ୧୫୬ରୁ ଉର୍ଦ୍ଧ ଠିକା କର୍ମଚାରୀଙ୍କୁ ବାହାର କରିଦେଇଛି। ଆଜିର ଏହି ଆନ୍ଦୋଳନରେ ଭୂ-ବିସ୍ଥାପିତ କଲ୍ୟାଣ ସମିତିର ଉପସଭାପତି ବି.ଭେଙ୍କଟ ରାବଣା, ସମ୍ପାଦକ ଲଷ୍ମୀନାରାୟଣ ମହାରଣାଙ୍କ ସମେତ ଭୂ-ବିସ୍ଥାପିତ କଲ୍ୟାଣ ସମିତିର କର୍ମଚାରୀମାନେ ପ୍ରମୁଖ ସାମିଲ ଥିଲେ।