୪୩.୪ ଡିଗ୍ରୀ ସହ ଟିଟିଲାଗଡ଼ ଉତ୍ତପ୍ତ ସହର

ଭୁବନେଶ୍ୱର, ୨।୪(ବ୍ୟୁରୋ): ମରାଜ୍ୟରେ ଉପରମୁହାଁ ହୋଇଛି ପାରଦ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ତାପମାତ୍ରା ୪୩ ଡିଗ୍ରୀ ଟପିଛି। ଶୁକ୍ରବାର ୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିବାବେଳେ ସର୍ବାଧିକ ୪୩.୪ ଡିଗ୍ରୀ ସହ ସବୁଠୁ ଉତ୍ତପ୍ତ ସହରରେ ପରିଣତ ହୋଇଛି ଟିଟିଲାଗଡ଼। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ବଲାଙ୍ଗୀରରେ ୪୨.୪, ବୌଦ୍ଧ ୪୧, ଝାରସୁଗୁଡ଼ା ୪୦.୫, ଭବାନୀପାଟଣା ୪୦.୫, ସୋନପୁର ୪୦.୪, ତାଳଚେର ୪୦.୨, ସୁନ୍ଦରଗଡ଼ ୪୦, ସମ୍ବଲପୁର ୩୯.୯, ମାଲକାନଗିରି ୩୯.୫, ଫୁଲବାଣୀ ୩୯.୨, ଅନୁଗୋଳ ୩୮.୧, ହୀରାକୁଦ ୩୮.୬, ବାରିପଦା ୩୮, ବାଲେଶ୍ୱର ୩୬, ଚାନ୍ଦବାଲି ୩୬, ଭୁବନେଶ୍ୱର ୩୪.୫, କଟକ ୩୩.୬, ପାରାଦୀପ ୩୨.୧, ପୁରୀ ୩୨.୪, କେନ୍ଦୁଝରଗଡ଼ ୩୭.୩, କୋରାପୁଟ ୩୬, ଦାରିଙ୍ଗବାଡ଼ି ୩୭.୫, ନୟାଗଡ଼ ୩୬.୫, ପାରଳାଖେମୁଣ୍ଡି ୩୭.୫, ଭଦ୍ରକ ୩୭.୫ ଓ ଯାଜପୁର ୩୭ ଡିଗ୍ରୀ ସେଲ୍‌ସିିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ଆସନ୍ତା ୩ରୁ ୪ ଦିନ ଯାଏ ରାଜ୍ୟରେ ଦିନର ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ଏହି ସମୟରେ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ପାରଦ ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିପାରେ। ବଲାଙ୍ଗୀର, କନ୍ଧମାଳ, ବୌଦ୍ଧ, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଜିଲାରେ ଦିନର ସର୍ବାଧିକ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ଅଧିକ ରହିପାରେ। ତେବେ ଏପରି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ କେତେକ ଜିଲାରେ ଅଦିନିଆ ବର୍ଷା କିଛିଟା ଆଶ୍ୱସ୍ତି ଆଣିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ୍‌ଆର୍‌ ବିଶ୍ୱାସଙ୍କ ସୂଚନାନୁସାରେ, ୩ ତାରିଖ ଦିନ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ରାୟଗଡ଼ା, ଗଜପତି ଓ କୋରାପୁଟ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୪ ତାରିଖରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, କନ୍ଧମାଳ, ଗଜପତି, ରାୟଗଡ଼ା, ଗଞ୍ଜାମ, କୋରାପୁଟ ଓ ମାଲକାନଗିରି ଜିଲାରେ ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ସହ ସମାନ ସ୍ଥିତି ଦେଖାଯାଇପାରେ। ତେବେ ବାକି ଜିଲାଗୁଡ଼ିକରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ସେ କହିଛନ୍ତି।

Share