୪୫ ଡିଗ୍ରୀ ସହ ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର, ୬।୫(ଅସମାପିକା ସାହୁ):ରାଜ୍ୟରେ ଗତ ଏପ୍ରିଲ ୧୫ରୁ ୨୧ଦିନ ଧରି ଲଗାତର ଭାବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ରବିବାର ବଲାଙ୍ଗୀର, ନୟାଗଡ଼, ନୂଆପଡ଼ା, ଗଞ୍ଜାମ, ମୟୂରଭଞ୍ଜ, କେନ୍ଦୁଝର ଏବଂ ବୌଦ୍ଧ ଜିଲାରେ ଅଧିକ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି। ୨୬ ସହରରେ ତାପମାତ୍ରା ୪୦ ଡିଗ୍ରୀ କିମ୍ବା ଏହାଠାରୁ ଅଧିକ ରେକର୍ଡ କରାଯାଇଥିବାବେଳେ ୪୫ ଡିଗ୍ରୀ ସହିତ ଟିଟିଲାଗଡ଼ ରାଜ୍ୟର ସବୁଠୁ ଉତ୍ତପ୍ତ ସହର ରହିଥିଲା। ସେହିଭଳି ୧୨ ସହରରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହିଥିଲା। ସେପଟେ ବିଭିନ୍ନ ସ୍ଥାନରେ ତାପମାତ୍ରା କମ୍‌ ଥିଲେ ମଧ୍ୟ ଆର୍ଦ୍ରତା ଅଧିକ ଥିବାରୁ ଅନୁଭୂତ ତାପମାତ୍ରା(ହିଟ୍‌ ଇଣ୍ଡେକ୍ସ) ଅଧିକ ରହୁଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ରବିବାର ଅପରାହ୍ନ ସାଢ଼େ ୨ଟାରେ ରାଜଧାନୀ ଭୁବନେଶ୍ୱରରେ ୩୯.୯ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ଆର୍ଦ୍ରତା ୫୪% ଥିବାରୁ ଅନୁଭୂତ ତାପମାତ୍ରା ବା ହିଟ୍‌ ଇଣ୍ଡେକ୍ସ ୫୭ ଡିଗ୍ରୀ ରହିଥିଲା। ସେହିଭଳି ବାଲେଶ୍ୱରରେ ୩୯.୨ ଡିଗ୍ରୀ ତାପମାତ୍ରା ଥିଲେ ମଧ୍ୟ ଆର୍ଦ୍ରତା ୬୫% ଥିବାରୁ ଅନୁଭୂତ ତାପମାତ୍ରା ୬୪ ଡିଗ୍ରୀ ରହିଥିଲା। ଅନ୍ୟପକ୍ଷରେ ସୋମବାରଠାରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ କୌଣସି ସତର୍କ ସୂଚନା ନାହିଁ। ତେବେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ବିଭିନ୍ନ ଜିଲାକୁ କାଳବୈଶାଖୀ ନେଇ ୟେଲୋ ଓ୍ବାର୍ନିଂ ଜାରି କରିଛି ପାଣିପାଗ କେନ୍ଦ୍ର।