Categories: ଖେଳ

୨ ବିଭାଗରେ ଭାରତକୁ ଟାଇଟଲ

କଟକ,୧୮।୧୨(ସୁପ୍ରିୟା ପ୍ରିୟଦର୍ଶିନୀ ): ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ତଥା ବିଡବ୍ଲ୍ୟୁଏଫ ଟୁର୍‌ ସୁପର-୧୦୦ ରବିବାର ଉଦ୍‌ଯାପିତ ହୋଇଛି। ମୋଟ ୫ ଇଭେଣ୍ଟରୁ ଭାରତୀୟ ପ୍ରତିଯୋଗୀ ୨ଟିରେ ଟାଇଟଲ ହାସଲ କରିଛନ୍ତି। ଜବାହରଲାଲ ନେହରୁ ଇନ୍‌ଡୋର ଷ୍ଟାଡିୟମରେ ଏହି ଟୁର୍ନାମେଣ୍ଟ ୬ଦିନ ଧରି ଚାଲିଥିଲା। ବ୍ୟାଡ୍‌ମିଣ୍ଟନ ୱାର୍ଲଡ ଫେଡେରେଶନ(ବିଡବ୍ଲ୍ୟୁଏଫ) ଦ୍ୱାରା ଅନୁଷ୍ଠିତ ପ୍ରତିଯୋଗିତାରେ ୨୭ ଦେଶର ୩୦୦ରୁ ଊର୍ଦ୍ଧ ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସରେ ଭାରତର ସତୀଶ କୁମାର ଚାମ୍ପିୟନ ହୋଇଛନ୍ତି । ଅନ୍ୟତମ ଭାରତୀୟ ପ୍ରତିଦ୍ୱନ୍ଦୀ ଆୟୁଷ ଶେଟ୍ଟୀଙ୍କ ସହ ୧ ଘଣ୍ଟା ୬ ମିନିଟ ଧରି ହୋଇଥିବା ଫାଇନାଲ ମୁକାବିଲା ରୋମାଞ୍ଚକ ହୋଇଥିଲା। ପ୍ରଥମ ସେଟ୍‌କୁ ୨୧-୧୮ ଗେମ୍‌ରେ ଜିତି ଅଗ୍ରଣୀ ହାସଲ କରିଥିଲେ ସତୀଶ। ଦ୍ୱିତୀୟ ସେଟ୍‌ରେ ଆୟୁଷ ୨୧-୧୯ ଗେମ୍‌ରେ ବିଜୟୀ ହୋଇ ସ୍ଥିତି ବରାବର କରିଥିଲେ। ୨୨ବର୍ଷୀୟ ସତୀଶ ୩ୟ ସେଟ୍‌ରେ ସହଜରେ ବିଜୟ ପଏଣ୍ଟ ହାତେଇଥିଲେ। ଏହି ସେଟ୍‌ଟି ୨୧-୧୪ ଗେମ୍‌ରେ ଶେଷ ହୋଇଥିଲା। ଏଠାରେ ଚାମ୍ପିୟନ ହୋଇଥିବା ସତୀଶଙ୍କର ଏହା ହେଉଛି ୬ଷ୍ଠ ବିଡବ୍ଲ୍ୟୁଏଫ ଟାଇଟଲ୍‌। ସେହିପରି ମହିଳା ସିଙ୍ଗଲ୍ସରେ ଜାପାନର ନୋଜୋମି ଓକୁହାରା ଚାମ୍ପିୟନ ହୋଇଛନ୍ତି। ହଂକଂର ଲୋ ସିନ ୟାନ ହାପିଙ୍କୁ ସେ ୨୧-୭, ୨୧-୨୩, ୨୨-୨୦ ଗେମ୍‌ରେ ପରାସ୍ତ କରି ଟାଇଟଲ୍‌ ଜିତିଛନ୍ତି। ପୁରୁଷ ଡବଲ୍ସ ଇଭେଣ୍ଟରେ ଭାରତକୁ ନିରାଶ ହେବାକୁ ପଡ଼ିଛି। ଚାଇନିଜ ତାଇପେ ଯୋଡ଼ି ଲିନ ବିଙ୍ଗ ୱି ଏବଂ ସୁ ଚିଙ୍ଗ ହେଙ୍ଗ ୨-୧ ସେଟ୍‌ରେ ଭାରତୀୟ ଯୋଡ଼ି କ୍ରିଷ୍ଣା ପ୍ରସାଦ ଓ ସାଇ ପ୍ରତୀକଙ୍କୁ ହରାଇଥିଲେ। ମିକ୍ସଡ ଡବଲ୍ସରେ ଭାରତର ଧ୍ରୁବ କପିଳା ଓ ତନୀଷା କ୍ରାଷ୍ଟୋ ଚାମ୍ପିୟନ ହୋଇଛନ୍ତି । ସିଙ୍ଗାପୁରର ହି ୟଙ୍ଗ କାଇ ଏବଂ ତାନ ୱିନ ହାନ୍‌ ଜେସିକାଙ୍କଠାରୁ ପ୍ରଥମ ସେଟ୍‌ରେ ୨୧-୧୭ ଗେମରେ ପରାସ୍ତ ହୋଇଥିଲେ। ମାତ୍ର ପରବର୍ତ୍ତୀ ଦୁଇଟି ଯାକ ସେଟ୍‌ରେ କପିଳା ଓ ତନୀଷା ୨୧-୧୯, ୨୩-୨୧ ଗେମ୍‌ରେ ବିଜୟୀ ହୋଇ ଟାଇଟଲ୍‌ ଜିତିଥିଲେ । ମହିଳା ଡବଲ୍ସ ଇଭେଣ୍ଟରେ ଭାରତ ଚାମ୍ପିୟନ ହେବାରୁ ବଞ୍ଚିତ ହୋଇଛି। ଫାଇନାଲ ମୁକାବିଲାରେ ଭାରତର ତନୀଷା କ୍ରାଷ୍ଟୋ ଏବଂ ଅଶ୍ୱିନୀ ପୋନ୍ନାପାଙ୍କ ଯୋଡ଼ି ଭେଟିଥିଲା ଇଣ୍ଡୋନେସିଆର ମେଲିସା ଟ୍ରିଆସ ଏବଂ ରାଚେଲ ଆଲିସିଆଙ୍କ ଯୋଡ଼ିକୁ। ଏଥିରେ ଇଣ୍ଡୋନେସିଆ ପ୍ରତିଯୋଗୀ ଦ୍ୱୟ ୨୧-୧୪, ୨୧-୧୭ ଗେମ୍‌ରେ ବିଜୟୀ ହୋଇଥିଲେ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଓ କଟକ ମେୟର ସୁବାସ ଚନ୍ଦ୍ର ସିଂ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

Share