Categories: ଜାତୀୟ

ରୁଜିରା-ପାମେଲାଙ୍କୁ ନେଇ ଟିଏମ୍‌ସି-ଭାଜପା ମୁହାଁମୁହିଁ

କୋଲକାତା,୨୪।୨: ପଶ୍ଚିମବଙ୍ଗରେ ଆଗକୁ ବିଧାନସଭା ନିର୍ବାଚନ। ରାଜ୍ୟରେ କ୍ଷମତା ଦଖଲ ପାଇଁ ତୃଣମୂଳ କଂଗ୍ରେସ( ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଛି। ତେବେ ଦୁଇ ରାଜନୈତିକ ଦଳ ରୁଜିରା ନରୁଲା ଏବଂ ପାମେଲା ଗୋସ୍ବାମୀଙ୍କୁ ନେଇ ପରୋକ୍ଷ ଭାବେ ନିଜର ଶକ୍ତି ପରୀକ୍ଷା ଆରମ୍ଭ କରିଛନ୍ତି। ତୃଣମୂଳ ଏମ୍‌ପି ଅଭିଷେକ ବାନାର୍ଜୀଙ୍କ ସ୍ତ୍ରୀ ରୁଜିରା ନରୁଲାଙ୍କୁ କୋଇଲା ଦୁର୍ନୀତି ନେଇ ସିବିଆଇ ପକ୍ଷରୁ ମଙ୍ଗଳବାର ପଚରା ଉଚରା କରାଯାଉଛି। ଏହା ପଛରେ ଭାଜପାର ହାତଥିବା ନେଇ ଚର୍ଚ୍ଚା ହେଉଛି। ସେହିପରି ଭାଜପା ଯୁବମୋର୍ଚ୍ଚା ରାଜ୍ୟ ସଚିବ ପାମେଲା ଗୋସ୍ବାମୀଙ୍କ ବିରୋଧରେ କୋକିନ ରଖିବା ଅଭିଯୋଗ ହୋଇଛି। ଶୁକ୍ରବାର ପୋଲିସ ତାଙ୍କ ବ୍ୟାଗ୍‌ରୁ ୯୦ ଗ୍ରାମ୍‌ କୋକିନ୍‌ ଜବତ କରିଛି। ଏହାପରେ ଏହି ମାମଲାରେ ଭାଜପା ନେତା ରାକେଶ ସିଂଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଟିଏମ୍‌ସି ଏବଂ ଭାଜପା ମଧ୍ୟରେ ଜାରି ରହିଥିବା ରାଜନୈତିକ ଛକାପଞ୍ଝା ଏବେ ଚର୍ଚ୍ଚାର ମୁଖ୍ୟ ବିଷୟ ପାଲଟିଛି।

Share