କୋଳକାତା,୮ ।୩: ପାଖେଇ ଆସୁଛି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ । ଆଉ ଏହାରି ଭିତରେ ସେଠାକାର ରାଜନୈତିକ ମାହୋଲ ବି ହେଉଛି ସରଗରମ । ବିଶେଷ କରି ଶାସନ ତୃଣମୂଳ କଂଗ୍ରେସ(ଟିଏମ୍ସି)କୁ ନେଇ ସବୁବେଳେ ଚର୍ଚ୍ଚା ଜାରି ରହିଛି । ଏବେ ମିଳିଥିବା ସୂଚନାରୁ ଜଣାପଡିଛି କି ରବିବାର କୋଲକାତାର ଐତିହାସିକ ବ୍ରିଗେଡ ପଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଲି କରି ଯିବା ପରେ ଏବେ କେତେଜଣ ନେତାଙ୍କ ମନ ବଦଳି ଯାଇଛି । ଏଥିରେ ପ୍ରଥମ ଝଟ୍କା ଲାଗିବାକୁ ଯାଉଛି ଟିଏମ୍ସିକୁ । କାରଣ ହବିବପୁର ବିଧାନସଭା ଆସନର ପ୍ରାର୍ଥୀ ସରଳା ମୁର୍ମୁ କୁଆଡେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେବାକୁ ଯାଉଛନ୍ତି । ସରଳାଙ୍କୁ ଟିକେଟ ମିଳିଥିଲେ ବି ସେ କାହିଁକି ଦଳ ଛାଡି ଭାଜପା ହାତ ଧରୁଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏବେ ଟିଏମ୍ସି ପୁଣିଥରେ ସେହି ଆସନରେ ନୂଆ ପ୍ରାର୍ଥୀ ଦେବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ଗତ ସପ୍ତାହରେ ଟିଏମ୍ସି ୨୯୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଥିଲା । ତେବେ କେତେଜଣ ପୁରୁଣା ନେତାଙ୍କୁ ଟିକେଟ ମିଳି ନ ଥିବା ବେଳେ ସେମାନେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ କେତେଜଣ ଦଳ ବି ଛାଡି ଦେଇଛନ୍ତି ।