Categories: ଜାତୀୟ

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ଟିଏମ୍‌ସିର ବାଜିମାତ୍‌

କୋଲକାତା, ୧୨ା୭(ପି.ଟି.): ପଶ୍ଚିମବଙ୍ଗର ହିଂସା ପ୍ରଭାବିତ ପଞ୍ଚାୟତ ନିର୍ବାଚନରେ ଶାସକ ଟିଏମ୍‌ସି ବଡ଼ ବିଜୟ ହାସଲ କରିବାକୁ ଯାଉଛି। ମଙ୍ଗଳବାର ସନ୍ଧ୍ୟା ୫ଟା ୩୦ ସୁଦ୍ଧା ୨୩,୩୪୪ ଗ୍ରାମ ପଞ୍ଚାୟତ ଆସନର ଫଳାଫଳ ଘୋଷଣା କରାଯାଇଥିବାବେଳେ ସେଥିରୁ ଟିଏମ୍‌ସି ୧୬,୩୩୦ ଆସନରେ ବିଜୟୀ ହୋଇଛି। ଏହା ବ୍ୟତୀତ ଉକ୍ତ ଦଳ ୩,୦୦୨ ଆସନରେ ଆଗରେ ରହିଛି। ଏହାର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାଜପା ୩,୭୯୦ ଆସନ ଜିତିଥିବାବେଳେ ୮୦୨ ଆସନରେ ଆଗୁଆ ଥିବା ଜଣାପଡ଼ିଛି। ମୋଟ ୬୩,୨୨୯ ଗ୍ରାମ ପଞ୍ଚାୟତ ଆସନ ପାଇଁ ନିର୍ବାଚନ ହୋଇଥିଲା। ବାମ ସାମ୍ମୁଖ୍ୟ ୧,୩୬୫ ଆସନ ଜିତିଥିବାବେଳେ ୬୨୧ ଆସନରେ ଆଗରେ ରହିଛି। ସେହିପରି କଂଗ୍ରେସ ୮୮୬ ଆସନ ହାତେଇବା ସହ ୨୫୬ଟିରେ ଆଗୁଆ ଥିବା ରାଜ୍ୟ ନିର୍ବାଚନ କମିଶନଙ୍କ ରିପୋର୍ଟରୁ ଜଣାପଡ଼ିଛି। ଅନ୍ୟ ଦଳ ମଧ୍ୟରେ ନବଗଠିତ ଆଇଏସ୍‌ଏଫ୍‌ ୯୩୭ ଆସନ ଜିତିବା ସହ ୧୯୦ଟିରେ ଆଗରେ ଅଛି। ସେହିପରି ସ୍ବାଧୀନ ପ୍ରାର୍ଥୀ ୪୧୮ ଆସନ ଜିତିଛନ୍ତି। ଜିଲା ପରିଷଦର ମୋଟ ୯୨୮ ଆସନ ମଧ୍ୟରୁ ସନ୍ଧ୍ୟା ସୁଦ୍ଧା ଘୋଷିତ ସମସ୍ତ ୧୮ ଆସନ ଟିଏମ୍‌ସି ଜିତିନେଇଛି। ଏହା ବ୍ୟତୀତ ୩୦ ଆସନରେ ଏହି ଦଳ ଆଗରେ ରହିଛି। ଟିଏମ୍‌ସି ଏବଂ ରାଜ୍ୟ ସରକାରଙ୍କ ଉପରେ ଜନସାଧାରଣଙ୍କ ଆସ୍ଥା ରହିଥିବା ପଞ୍ଚାୟତ ନିର୍ବାଚନ ଫଳାଫଳରୁ ପ୍ରତିଫଳିତ ହୋଇଛି। ଭୋଟରମାନେ ଭାଜପାର ବିଭାଜନକାରୀ ରାଜନୀତି ଏବଂ କଂଗ୍ରେସ, ସିପିଆଇ(ଏମ୍‌)ର ନକାରାତ୍ମକ ରାଜନୀତିକୁ ବର୍ଜନ କରିଥିବା ଟିଏମ୍‌ସି ମୁଖପାତ୍ର କୁନାଲ ଘୋଷ କହିଛନ୍ତି। ୨୦୨୪ ଲୋକ ସଭା ନିର୍ବାଚନ ପୂର୍ବରୁ ପଞ୍ଚାୟତ ନିର୍ବାଚନ ସେମିଫାଇନାଲ ସଦୃଶ ହୋଇଥିବାରୁ ଦଳଗୁଡ଼ିକ ସବୁ ସାମର୍ଥ୍ୟ ଲଗାଇ ଲଢ଼ିଥିଲେ। ମତଦାନ ଦିନ ବିଭିନ୍ନ ସ୍ଥାନରେ ହିଂସାକାଣ୍ଡ ଘଟି ୧୧ ଟିଏମ୍‌ସି କର୍ମୀଙ୍କ ସମେତ ୧୫ ଜଣଙ୍କ ଜୀବନ ଯାଇଥିଲା। ନିର୍ବାଚନ ଘୋଷଣା ହେବା ଦିନଠାରୁ ହିଂସାକାଣ୍ଡରେ ୩୩ ଜଣଙ୍କ ମୃତ୍ୟୁ ଘଟିଛି। ଭୋଟ୍‌ ଜାଲିଆତି ଏବଂ ହିଂସାକାଣ୍ଡ ଅଭିଯୋଗକୁ ନେଇ ୬୯୬ ଆସନରେ ସୋମବାର ସାନି ମତଦାନ ପାଇଁ ରାଜ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ। କାଲ୍‌କାଟା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମତଦାନ ଏବଂ ଭୋଟଗଣତି ଦିନ କେନ୍ଦ୍ରୀୟ ପୋଲିସ ବଳ ନିୟୋଜିତ କରାଯାଇଥିଲା। ଶନିବାର ୮୦.୭୧ ପ୍ରତିଶତ ମତଦାନ ହୋଇଥିଲା।

Share