Categories: ଜାତୀୟ

ଟିଏମ୍‌ସି ଖରାପ, ଭାଜପା ତା’ଠୁ ୧୦୦୦ ଗୁଣ

କୋଲକାତା, ୭।୧୨:ଦୀର୍ଘ ୯ ବର୍ଷର ନିର୍ବାଚନ ପରେ ଘର ତଥା ନିଜର ରାଜନୈତିକ ଗଡ଼ ପଶ୍ଚିମବଙ୍ଗର ପଶ୍ଚିମ ମିଦନାପୁର ଫେରିଥିବା ସିପିଆଇଏମ୍‌ର ହେଭିଓ୍ବେଟ୍‌ ନେତା ସୁଶାନ୍ତ ଘୋଷ ଟିଏମ୍‌ସି ଓ ଭାଜପା ଉପରେ ବର୍ଷିଛନ୍ତି। ୨୦୦୨ରେ ସୁଶାନ୍ତଙ୍କ ପୈତୃକ ଘର ନିକଟରୁ ୭ଟି ମଣିଷ କଙ୍କାଳ ଉଦ୍ଧାର ହୋଇଥିଲା। ୭ ଜଣଙ୍କୁ ହତ୍ୟା ମାମଲାରେ ସମ୍ପୃକ୍ତି ନେଇ ୨୦୧୧ରେ ସୁଶାନ୍ତ ଦୋଷୀସାବ୍ୟସ୍ତ ହୋଇଥିଲେ। ୨୦୧୨ରେ ଜାମିନ ମିଳିବା ସତ୍ତ୍ୱେ ତାଙ୍କୁ ପଶ୍ଚିମ ମିଦନାପୁରରେ ପ୍ରବେଶ ଲାଗି କୋର୍ଟ ଅନୁମତି ଦେଇ ନ ଥିଲେ। ସୁପ୍ରିମକୋର୍ଟ ଉକ୍ତ ସର୍ତ୍ତକୁ ରଦ୍ଦ କରିବା ପରେ ସେ ପଶ୍ଚିମ ମିଦନାପୁର ଫେରିଛନ୍ତି। ଉକ୍ତ ଜିଲାର ଚନ୍ଦ୍ରକୋଣଠାରେ ଏକ ର଼୍ୟାଲି କରି ସେ ଟିଏମ୍‌ସି ଓ ଭାଜପା ଉପରେ ବର୍ଷିଥିଲେ।
ସେ କୌଣସି ଅପରାଧ କରି ନ ଥିଲେ। ଯେଉଁମାନେ ଅପରାଧକୁ ପ୍ରୋତ୍ସାହିତ କରିଥିଲେ, ସେମାନେ ବର୍ତ୍ତମାନ ସରକାରରେ ବିଧାୟକ ଓ ମନ୍ତ୍ରୀ ବୋଲି ସିପିଆଇଏମ୍‌ ନେତା କହିଛନ୍ତି। ଜୋଙ୍ଗୋଲମୋହଲ ଅଞ୍ଚଳର ସମସ୍ତ ନାଗରିକ ଟିଏମ୍‌ସି ସରକାରକୁ ଫିଙ୍ଗିଦେବା ପାଇଁ ପ୍ରସ୍ତୁତ, ଯାହା ନଭେମ୍ବର ୨୬ ଦେଶବ୍ୟାପୀ ଧର୍ମଘଟରୁ ସ୍ପଷ୍ଟ ହୋଇଛି।
ତେବେ ଟିଏମ୍‌ସିଠାରୁ ଭାଜପା ୧୦୦୦ ଗୁଣ ଖରାପ। ଟିଏମ୍‌ସିରୁ ମୁକ୍ତି ପାଇବା ପାଇଁ ଭାଜପା ପତାକା ଧରିବା ଅଧିକ ବିପଜ୍ଜନକ ହେବ। ଏହା ରାଜ୍ୟ ପାଇଁ ବଡ଼ ବିପଦ ହୋଇଥିବାରୁ ଜନସାଧାରଣ ଗୈରିକ ଦଳ ପ୍ରତି ସତର୍କ ରହିବାକୁ ସୁଶାନ୍ତ କହିଛନ୍ତି। ପଶ୍ଚିମବଙ୍ଗରେ ମିଛର ଶାସନ ଚାଲିଥିବାବେଳେ କେନ୍ଦ୍ର କେବଳ ମିଥ୍ୟାରେ ଚାଲିଥିବା ସେ ଅଭିଯୋଗ କରିଥିଲେ।

Share