Categories: ଜାତୀୟ

ଇସି ଅଫିସ ବାହାରେ ଟିଏମ୍‌ସି ନେତାଙ୍କ ଧାରଣା

ନୂଆଦିଲ୍ଲୀ,୯ା୪(ପି.ଟି.): ସିବିଆଇ, ଏନ୍‌ଆଇଏ, ଇଡି ଏବଂ ଆୟକର ବିଭାଗ ମୁଖ୍ୟମାନଙ୍କୁ ବଦଳାଇବା ଦାବିରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତାମାନେ ନିର୍ବାଚନ କମିଶନ (ଇସି)ଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିବାବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି। ଟିଏମ୍‌ସିର ୧୦ ଜଣିଆ ପ୍ରତିନିଧି ଦଳ ଇସି ଅଧିକାରୀମାନଙ୍କୁ ସେମାନଙ୍କ ଦାବି ଜଣାଇବା ପରେ ଧାରଣାରେ ବସିବା ନେଇ ଘୋଷଣା କରିଥିଲେ। ପ୍ରତିନିଧି ଦଳରେ ଟିଏମ୍‌ସି ଏମ୍‌ପି ଡେରେକ୍‌ ଓ’ବ୍ରାଏନ, ମହମ୍ମଦ ନାଦିମୁଲ ହକ୍‌, ଡୋଲା ସେନ୍‌, ସାକେତ ଗୋଖଲେ, ସାଗରିକା ଘୋଷ, ବିଧାୟକ ବିବେକ ଗୁପ୍ତା, ପୂର୍ବତନ ଏମ୍‌ପି ଅର୍ପିତା ଘୋଷ, ଶାନ୍ତନୁ ସେନ୍‌ ଏବଂ ଅବୀର ରଞ୍ଜନ ବିଶ୍ୱାସ ତଥା ଦଳର ଛାତ୍ର ସଂଗଠନ ଉପସଭାପତି ସୁଦୀପ ରାହା ଥିଲେ।
ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ କରୁଥିବା ଟିଏମ୍‌ସି ଅଭିଯୋଗ କରିଛି। ଭାଜପା କେନ୍ଦ୍ରୀୟ ଏଜେନ୍ସିକୁ ବିରୋଧୀଙ୍କ ବିରୋଧରେ ଦୁରୁପଯୋଗ କରୁଛି। ଏନ୍‌ଆଇଏ, ଇଡି ଏବଂ ସିବିଆଇ ଯେଉଁଭଳି ଭାବେ ଟିଏମ୍‌ସି ନେତାମାନଙ୍କୁ ଟାର୍ଗେଟ କରି କାର୍ଯ୍ୟ କରୁଛନ୍ତି, ତାହା ଲଜ୍ଜାଜନକ। ନିର୍ବାଚନ କମିଶନ ସବୁ ରାଜନୈତିକ ଦଳକୁ ସମାନ ସୁଯୋଗ ଦିଅନ୍ତୁ ବୋଲି ଦିଲ୍ଲୀ ଯିବା ପୂର୍ବରୁ ସେନ୍‌ ଖବରଦାତାମାନଙ୍କୁ କହିଥିଲେ। ନିର୍ବାଚନ ପୂର୍ବରୁ ଏନ୍‌ଆଇଏ ଏବଂ ଭାଜପା ମଧ୍ୟରେ ଏକ ଅସାଧୁ ମେଣ୍ଟ ହୋଇଥିବା ଟିଏମ୍‌ସି ରବିବାର ଅଭିଯୋଗ କରିଥିଲା। ସୂଚନାଯୋଗ୍ୟ, ଶୁକ୍ରବାର ରାତିରେ ଏନ୍‌ଆଇଏ ଟିମ୍‌ ୨୦୨୨ ବିସ୍ଫୋରଣ ମାମଲାର ୨ ସନ୍ଦିଗ୍ଧଙ୍କୁ ପୂର୍ବ ମେଦିନିପୁରର ଭୂପତିନଗର ଅଞ୍ଚଳରୁ ଗିରଫ କରିବା ପରେ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ଟିଏମ୍‌ସି ଏବଂ ଭାଜପା ମଧ୍ୟରେ ରାଜନୈତିକ ବାକ୍‌ଯୁଦ୍ଧ ଲାଗିରହିଛି।

Share