କୋଲକାତା,୨୮।୧୧: ତୃଣମୂଳରେ ଜାରି ରହିଥିବା ଘର କଳି ଏବେ ବାହାରକୁ ଆସିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରୁ ତୃଣମୂଳ କଂଗ୍ରେସ ବିଧାୟକମାନେ ବିଶ୍ୱାସ ହରାଉଛନ୍ତି। ରାଜ୍ୟର ବିପର୍ଯ୍ୟୟ ପ୍ରଶମନ ପାଇଁ କାମ ନ କରି ମମତା ଏବେ ତୃଣମୂଳକୁ ବିପର୍ଯ୍ୟୟରୁ ଦୂରେଇ ରଖିବା କାର୍ଯ୍ୟରେ ବ୍ୟସ୍ତ ରହିଛନ୍ତି। ଭାଜପା ପ୍ରଦେଶ ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ମମତାଙ୍କ ଉଦ୍ଦେଶ୍ୟରେ ଶନିବାର ଏଭଳି କଟାକ୍ଷ କରିଛନ୍ତି। ବିହାରରେ ଭାଜପା ସ୍ଥିତି ସୁଦୃଢ଼ ହେବାପରେ ଦଳ ଏବେ ପଶ୍ଚିମବଙ୍ଗ ମିଶନରେ ଲାଗିପଡ଼ିଛି। ଏହି ମର୍ମରେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଡିସେମ୍ବର ୮ ଅବା ୯ରେ ରାଜ୍ୟ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ଗସ୍ତକାଳରେ ନଡ୍ଡା ସାଂଗଠନିକ କ୍ଷେତ୍ରରେ ଭାଜପାକୁ ମଜବୁତ କରିବା ଉପରେ ଗୁରୁତ୍ୱାରୋପ କରିବା ସହିତ ବୁଥ୍ସ୍ତରୀୟ କାର୍ଯ୍ୟକୁ ପ୍ରୋତ୍ସାହିତ କରିବେ ବୋଲି କୁହାଯାଉଛି।