ନୂଆଦିଲ୍ଲୀ,୧।୮: ଦେଶରେ ମୁଦ୍ରାସ୍ଫୀତି ଏବଂ ବେକାରୀ ସମସ୍ୟା ବୃଦ୍ଧିକୁ ବିରୋଧ କରି ସଂସଦର ଉଭୟ ଗୃହରେ ହଙ୍ଗାମା ଜାରି ରହିଛି। ସୋମବାର ତୃଣମୂଳ କଂଗ୍ରେସ (ଟିଏମସି) ଏମ୍ପି କାକୋଲି ଘୋଷ ଦସ୍ତିଦାର ଲୋକ ସଭାରେ ମୁଦ୍ରାସ୍ଫୀତିକୁ ବିରୋଧ କରିବା ପାଇଁ ଏକ ନିଆରା ଉପାୟ ଅବଲମ୍ବନ କରିଥିଲେ।
ସେ ଗୃହରେ ଭାଷଣ ଦେବା ସମୟରେ କଞ୍ଚା ବାଇଗଣ ଖାଇ ନରେନ୍ଦ୍ର ମୋଦି ସରକାରଙ୍କୁ ବିରୋଧ କରିଛନ୍ତି। ସେ କହିଛନ୍ତି,ଦେଶରେ ଏଲପିଜି ସିଲିଣ୍ଡରର ମୂଲ୍ୟ ଏତେ ମହଙ୍ଗା ହୋଇଛି ଯେ ପନିପରିବା ରାନ୍ଧିବା ଏବଂ ଖାଇବା କଷ୍ଟକର ହୋଇପଡିଛି। ଆଜିର ସମୟରେ ଗରିବ ଏବଂ ଶ୍ରମିକ ଶ୍ରେଣୀର ଲୋକମାନେ ଏତେ ଦାମୀ ସିଲିଣ୍ଡର କିଣି ପାରିବେ ନାହିଁ। ତେଣୁ ପନିପରିବା କଞ୍ଚା ଖାଇବାକୁ ପଡିବ। ଅବଶ୍ୟ, ସେ ବାଇଗଣ ଖାଇ ନ ଥିଲେ, କେବଳ ଦେଖିରେ ଦାନ୍ତ ଲଗାଇଥିଲେ।
କାକୋଲି ଘୋଷ ଆହୁରି ମଧ୍ୟ କହିଛନ୍ତି, ଏକ ସମୟ ଥିଲା, ଯେତେବେଳେ ସିଲିଣ୍ଡରର ମୂଲ୍ୟ ବଢୁଥିଲା, ସେହି ସମୟରେ ଏହି ସରକାରର ଜଣେ ନେତା ଖାଲି ସିଲିଣ୍ଡର ସହିତ ସଂସଦକୁ ଆସି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇଁ ବିରୋଧ କରିଥିଲେ। କିନ୍ତୁ ଆଜି ଯଦି କେହି ବିରୋଧ କରୁଛନ୍ତି, ତା’ଙ୍କ ସ୍ବର ଚାପି ଦିଆଯାଉଛି।