Categories: ଜାତୀୟ

ଟିଏମ୍‌ସି ଏମ୍‌ପି ଶତାବ୍ଦି ରାୟଙ୍କ ସୋସିଆଲ ମିିଡିଆ ପୋଷ୍ଟକୁ ନେଇ ରାଜନୀତି ସରଗରମ

କୋଲକାତା,୧୫ ।୧: ଚଳିତ ବର୍ଷ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ହୋଇଛି ସରଗରମ । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ଗଡରେ ପୁଣିଥରେ ଶାସନ କ୍ଷମତା ହାତକୁ ଆଣିବାକୁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଅନ୍ୟପଟେ ଭାରତୀୟ ଜନତା ପାର୍ଟି(ଭାଜପା) ଶାସନ କ୍ଷମତା ହାତେଇବାକୁ ଖୁବ୍ ପରିଶ୍ରମ କରି ଚାଲିଛି । ତେବେ ମମତାଙ୍କ ସମସ୍ୟା ବେଳକୁ ବେଳ ବଢୁଥିବା ଦେଖାଯାଇଛି । କାରଣ ତାଙ୍କ ଦଳର କିଛି ନେତା ଅସନ୍ତୁଷ୍ଟ ହୋଇ ଦଳ ଛାଡୁଥିବା ଏବେ ମମତାଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟି ଗଲାଣି । ଏବେ ତ୍ରୁଣମୂଳ କଂଗ୍ରେସ(ଟିଏମ୍‌ସି) ଏମ୍‌ପି ଶତାବ୍ଦି ରାୟ ସୋସିଆଲ ମିଡିଆ ମାଧ୍ୟମରେ ଦଳ ଉପରେ ଅସନ୍ତୁଷ୍ଟ ଥିବା ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଏବେ ମୋତେ ଲୋକ ପଚାରୁଛନ୍ତି ଯେ ଦଳର କୌଣସି କାର୍ଯ୍ୟକ୍ରମରେ କାହିଁକି ଆପଣଙ୍କୁ ଦେଖିବାକୁ ମିଳୁନାହିଁ । କିନ୍ତୁ ମୋତେ ମୋ ଲୋକଙ୍କ ସହ ମଶି ରହିବାକୁ ଭଲଲାଗେ । ହେଲେ ଏମିତି କେତେଜଣ ଲୋକ ଅଛନ୍ତି ଯେଉଁମାନେ ଚାହାନ୍ତି ନାହିଁ ଯେ ମୁଁ ସବୁ ଲୋକଙ୍କ ସହ ମିଳିମିଶି ରୁହେ ବୋଲି । ସେଥିପାଇଁ ଦଳର କୌଣସି କାର୍ଯ୍ୟକ୍ରମରେ ମୋତେ କୌଣସି ସୂଚନା ଦିଆଯାଇ ନ ଥାଏ । ତେଣୁ କେତେଜଳ ଦଳୀୟ ନେତାଙ୍କ ଦ୍ୱାରା ମୋତେ ଛୋଟଦର୍ଶାଇ ବାକୁ ଚେଷ୍ଟା କରାଯାଉଛି ବୋଲି ଶତାବ୍ଦି କହିଛନ୍ତି । ତେବେ ୧୬ ଜାନୁୟାରୀ ଦ୍ୱିପ୍ରହରରେ ସେ ଦଳ ସମ୍ପର୍କରେ କିଛି ନିର୍ଣ୍ଣୟ ନେଲେ ଜଣାଇବେ ବୋଲି କହିଛନ୍ତି । ଅନୁମାନ କରାଯାଉଛି କି ସେ ଦଳ ଛାଡି ପାରନ୍ତି । ଯଦି ଏହା ହେଲା ତେବେ ମମତାଙ୍କୁ ଆଉ ଏକ ଝଟକା ଲାଗିପାରେ ।

Share