Categories: ଜାତୀୟ

ମମତାଙ୍କ ମନ୍ତବ୍ୟକୁ ଟିଏମ୍‌ସି ଏମ୍‌ପିଙ୍କ ବିରୋଧ

କୋଲକାତା,୧୪।୪: ପଶ୍ଚିମବଙ୍ଗ ନଦିଆ ଜିଲାର ହଂସଖାଲିଠାରେ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ରାଜନୀତି ଜୋର୍‌ ଧରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉକ୍ତ ମାମଲା ସମ୍ପର୍କରେ ଦେଇଥିବା ବିବୃତିକୁ ଦଳର ଦୁଇଜଣ ଏମ୍‌ପି ପରୋକ୍ଷରେ ବିରୋଧ କରିଛନ୍ତି।

ଟିଏମ୍‌ସି ଏମ୍‌ପି ମହୁଆ ମୈତ୍ରୀଙ୍କ ପରେ ବରିଷ୍ଠ ନେତା ସୌଗତ ରାୟ ଉକ୍ତ ମାମଲାରେ ମମତାଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି। ଏହା ଏକ ଛୋଟ ଘଟଣା ଓ ବଳାତ୍କାର ସହ ପ୍ରେମ ବ୍ୟାପାରର ସମ୍ପର୍କ ଥିବା ମମତା କହିଥିଲେ। ଜଣେ ମହିଳା ମୁଖ୍ୟମନ୍ତ୍ରୀଙ୍କ ଶାସନରେ ମହିଳାଙ୍କ ବିରୋଧରେ ଗୋଟିଏ ବି ଅପରାଧ ଗ୍ରହଣୀୟ ନୁହେଁ ବୋଲି ଏକ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ସୌଗତ କହିଛନ୍ତି। ଏଭଳି ଅପରାଧକୁ ଆଦୌ ବରଦାସ୍ତ କରାଯିବ ନାହିଁ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। ୧୮ ବର୍ଷରୁ କମ୍‌ ବୟସର ଝିଅ ସହ ସହମତିରେ ଯୌନ ସମ୍ପର୍କ ଆଇନ ଅନୁଯାୟୀ ବଳାତ୍କାର ବୋଲି ଗତ ୧୨ ତାରିଖରେ ଏମ୍‌ପି ମହୁଆ ମୈତ୍ର କହିଥିଲେ।

ସୌଗତଙ୍କ ମନ୍ତବ୍ୟକୁ ଭାଜପା, ସିପିଆଇ-ଏମ୍‌ ଏବଂ କଂଗ୍ରେସ ପକ୍ଷରୁ ପ୍ରଶଂସା କରାଯାଇଛି। ସେ ଜଣେ ଦାୟିତ୍ୱସମ୍ପନ୍ନ ଏମ୍‌ପି ଭାବେ ମନ୍ତବ୍ୟ ଦେଇଛନ୍ତି। ଏହି ପ୍ରସଙ୍ଗରେ ସୌଗତ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ଉଚିତ ବୋଲି ବିରୋଧୀ ଦଳଗୁଡ଼ିକ ମତ ଦେଇଛନ୍ତି।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ମମତା ନାବାଳିକା ବଳାତ୍କାର ଓ ହତ୍ୟା ଘଟଣାକୁ ନିନ୍ଦା କରିଥିଲେ ହେଁ ବିରୋଧୀ ଦଳ ଓ ଗଣମାଧ୍ୟମର ଗୋଟିଏ ଗୋଷ୍ଠୀ ଏହାକୁ ରାଜନୈତିକ ମୋଡ଼ ଦେଉଥିବାରୁ ସେ ଏହାର ସମାଲୋଚନା କରିଥିଲେ।

Share