Categories: ଜାତୀୟ

ଡାକ୍ତରଙ୍କୁ ଟିଏମ୍‌ସି ଏମ୍‌ପିଙ୍କ ଧମକ: ରୋଗୀଙ୍କ ମୃତ୍ୟୁ ହେଲେ ସୁରକ୍ଷା ଦେବୁନୁ

କୋଲକାତା,୧୯ା୮:କୋଲକାତାର ଆର୍‌.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଡାକ୍ତରମାନଙ୍କ ଆନ୍ଦୋଳନ ଜାରି ରହିଥିବାବେଳେ ସୋମବାର ସେମାନେ ବହୁସଂଖ୍ୟାରେ ରାଜରାସ୍ତାକୁ ଓହ୍ଲାଇ ମାନବ ଶୃଙ୍ଖଳ ସୃଷ୍ଟି କରିଥିଲେ। ସେମାନେ କୋଲକାତାର ବହୁ ରାସ୍ତାକୁ ଅବରୋଧ କରିଥିଲେ। ବିକ୍ଷୋଭ ସ୍ଥଳରେ ନିୟୋଜିତ ଥିବା ପୋଲିସ ହାତରେ ଡାକ୍ତରମାନେ ରାଖୀ ବାନ୍ଧିଥିବାବେଳେ ଏହା ବଦଳରେ ସେମାନେ ଡାକ୍ତରଙ୍କୁ ଟଫି ଦେଇଥିଲେ।
ଅନ୍ୟପକ୍ଷରେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ଟିଏମ୍‌ସି ଏମ୍‌ପି ଅରୂପ ଚକ୍ରବର୍ତ୍ତୀ ଧମକ ଦେଇଛନ୍ତି। ସେ ଡାକ୍ତରମାନଙ୍କୁ କହିଛନ୍ତି, ଆପଣମାନେ ଆନ୍ଦୋଳନ ନାଁରେ ଘରକୁ ଯାଆନ୍ତୁ କି ପୁରୁଷବନ୍ଧୁଙ୍କ ସହ ବୁଲନ୍ତୁ, ସେଥିରେ ଯାଏଆସେ ନାହିଁ। କିନ୍ତୁ ଯଦି ଜଣେ ରୋଗୀଙ୍କର ମୃତ୍ୟୁ ଘଟେ, ଏହା ପରେ ଯେଉଁ ଉତ୍ତେଜନା ସୃଷ୍ଟି ହେବ, ସେତେବେଳେ ଆପଣମାନଙ୍କୁ ସୁରକ୍ଷା ଦେବୁ ନାହିଁ ବୋଲି ବାଙ୍କୁରାଠାରେ ଏକ ରାଲିକୁ ସମ୍ବୋଧନ କରି ଚକ୍ରବର୍ତ୍ତୀ କହିଛନ୍ତି। ସେହିପରି ବରିଷ୍ଠ ଟିଏମ୍‌ସି ମନ୍ତ୍ରୀ ଉଦୟନ ଗୁହା ମଧ୍ୟ ଏକ ଉତ୍ତେଜନାପୂର୍ଣ୍ଣ ମନ୍ତବ୍ୟ ଦେଇ ବିବାଦ ମଧ୍ୟକୁ ଆସିଛନ୍ତି। ମହିଳା ଡାକ୍ତର ବଳାତ୍କାର ଓ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଯେଉଁମାନେ ଦୋଷ ଦେଉଛନ୍ତି ଓ ତାଙ୍କ ଇସ୍ତଫା ଦାବି କରୁଛନ୍ତି, ସେମାନଙ୍କ ଆଙ୍ଗୁଠି ଭାଙ୍ଗିଦିଆଯିବ ବୋଲି ଗୁହା କହିଛନ୍ତି। ତାଙ୍କର ଏହି ଧମକପୂର୍ଣ୍ଣ ଭିଡିଓ କ୍ଲିପ୍‌ ଭାଇରାଲ ହୋଇଛି।
ସୋମବାର ଡାକ୍ତରଙ୍କ ଆନ୍ଦୋଳନରେ ଆର୍‌.ଜି. କର ମେଡିକାଲ କଲେଜର ବହୁ ପୂର୍ବତନ ଛାତ୍ରୀଛାତ୍ର ଏବଂ ବରିଷ୍ଠ ଡାକ୍ତର ସାମିଲ ହୋଇ ମୃତା ଡାକ୍ତରଙ୍କ ପାଇଁ ନ୍ୟାୟ ଦାବି କରିଥିଲେ। ସେମାନଙ୍କ ମଧ୍ୟରୁ କେତେଜଣ ୬୦ ଦଶକର ଛାତ୍ର ଥିଲେ। ଡାକ୍ତରଙ୍କ ଆନ୍ଦୋଳନ ଯୋଗୁ ପଶ୍ଚିମବଙ୍ଗରେ ସ୍ବାସ୍ଥ୍ୟସେବା ଗୁରୁତର ପ୍ରଭାବିତ ହୋଇଛି। ଆନ୍ଦୋଳନର ନେତୃତ୍ୱ ନେଉଥିବା କନିଷ୍ଠ ଡାକ୍ତରମାନେ ଅପରାଧୀଙ୍କୁ କଠୋର ଦଣ୍ଡ ବିଧାନ ଦାବିରେ କାର୍ଯ୍ୟବନ୍ଦ ରଖିଛନ୍ତି।

Share