Categories: ଜାତୀୟ

‘ବିଦାୟ ନେବ ଟିଏମ୍‌ସି ଶାସନ’

ନବଦ୍ୱୀପ,୭ା୨(ପି.ଟି.): ପଶ୍ଚିମବଙ୍ଗ ଜନସାଧାରଣ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଶାସନର ଅନ୍ତ ଘଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ବିଧାନସଭା ନିର୍ବାଚନରେ ସେମାନେ ମମତା ବାନାର୍ଜୀଙ୍କ ସରକାରକୁ ବିଦାୟ ଦେବେ ବୋଲି ଶନିବାର ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଦୃଢ଼ୋକ୍ତି ବାଢ଼ିଛନ୍ତି।
ନଦୀୟା ଜିଲା ନବଦ୍ୱୀପରେ ‘ପରିବର୍ତ୍ତନ ରଥଯାତ୍ରା’ର ଶୁଭାରମ୍ଭ କରି ନଡ୍ଡା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଟିଏମ୍‌ସି ସରକାର ପ୍ରଶାସନର ରାଜନୀତୀକରଣ ଓ ପୋଲିସର ଅପରାଧୀକରଣ କରୁଥିବା ସେ ଅଭିଯୋଗ ଆଣିଛନ୍ତି। କହିଛନ୍ତି, ମା’, ମାଟି, ମଣିଷର ସ୍ଲୋଗାନ ଦେଉଥିବା ଟିଏମ୍‌ସି ଏକଚ୍ଛତ୍ରବାଦ, ଲୁଣ୍ଠନ ଓ ତୁଷ୍ଟୀକରଣକାରୀ ଦଳରେ ପରିଣତ ହୋଇଯାଇଛି। ଏହି ଦଳ ଲୋକଙ୍କ ଆସ୍ଥାଭଙ୍ଗ କରି ସେମାନଙ୍କ ସହ ବିଶ୍ୱାସଘାତ କରିଛି। ମମତାଙ୍କ ଶାସନରେ କେବଳ ଟିଏମ୍‌ସି ନେତାମାନେ ଲାଭବାନ ହୋଇଛନ୍ତି। ଏପରି କି ଅମ୍ଫନ ଝଡ଼ ପରେ ରିଲିଫ ପାଣ୍ଠିରୁ ମଧ୍ୟ ସେମାନେ ଅର୍ଥ ଉଠାଇନେଇଛନ୍ତି। ଏହି ଅବସରରେ ନଡ୍ଡା ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେଇ ଏହାକୁ ଦେଶର ସଂସ୍କୃତି ସହ ଯୋଡ଼ିଥିଲେ। ମମତା ଏହି ସ୍ଲୋଗାନକୁ ଏତେ ଘୃଣା କାହିଁକି କରୁଛନ୍ତି ବୋଲି ନଡ୍ଡା ପ୍ରଶ୍ନ କରିଥିଲେ।
ଭିତର-ବାହାର ପ୍ରସଙ୍ଗକୁ ନେଇ ମମତା ଆରମ୍ଭ କରିଥିବା ବିତର୍କ ସମ୍ପର୍କରେ ନଡ୍ଡା କହିଥିଲେ, ଭାଜପାର ରାଜ୍ୟ ନେତୃତ୍ୱ ପଶ୍ଚିମବଙ୍ଗ ସଂସ୍କୃତିର ସୁରକ୍ଷା କରିବା ସହ ରାଜ୍ୟକୁ ବିକାଶ ପଥରେ ଆଗେଇନେବେ। ଏହି ଅବସରରେ ଭାଜପା ଅଧ୍ୟକ୍ଷ ପଞ୍ଚଦଶ ଶତାବ୍ଦୀର ବୈଷ୍ଣବ ସନ୍ଥ ଚୈତନ୍ୟ ମହାପ୍ରଭୁଙ୍କ ଜନ୍ମସ୍ଥାନ ନବଦ୍ୱୀପରୁ ପଶ୍ଚିମବଙ୍ଗରେ ପରିବର୍ତ୍ତନ ଆଣିବା ପାଇଁ ରଥଯାତ୍ରାର ଶୁଭାରମ୍ଭ କରିଥିଲେ। ଆଗକୁ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଅନ୍ୟ ୪ ରଥଯାତ୍ରା ମଧ୍ୟରୁ ୨ଟିର ଶୁଭାରମ୍ଭ କରିବେ ବୋଲି ନଡ୍ଡା ସୂଚନା ଦେଇଥିଲେ। ମାଲଦାରେ ନଡ୍ଡା ଏକ ସୁସଜ୍ଜିତ ଯାନରେ ୧ କି.ମି. ବ୍ୟାପୀ ରୋଡ୍‌ ଶୋ କରିଥିଲେ।

Share