Categories: ଜାତୀୟ

କେନ୍ଦ୍ର ବିରୋଧରେ ୧ କୋଟି ପତ୍ର ଅଭିଯାନ ଆରମ୍ଭ କରିବ ଟିଏମ୍‌ସି

ନୂଆଦିଲ୍ଲୀ, ୧୦ା୪ : ପଶ୍ଚିମବଙ୍ଗକୁ କେନ୍ଦ୍ରର ଭାଜପା ନେତୃତ୍ୱାଧୀନ ସରକାର ପାଣ୍ଠି ଯୋଗାଉ ନ ଥିବାରୁ ଏହାର ପ୍ରତିବାଦରେ ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନୂଆ ଅଭିଯାନ ଘୋଷଣା କରିଛି। କେନ୍ଦ୍ରୀୟ ପାଣ୍ଠିରୁ ପଶ୍ଚିମବଙ୍ଗ ଭାଗ ଦାବି କରି ରାଜ୍ୟର ଜନସାଧାରଣ ପ୍ରଧାନମନ୍ତ୍ରୀଙ୍କ ପାଖକୁ ୧ କୋଟି ପତ୍ର ପଠାଇବେ। ଏହି ସମସ୍ତ ଚିଠିକୁ କେନ୍ଦ୍ର ସରକାରଙ୍କ ପାଖକୁ ଟିଏମ୍‌ସିର ସାଧାରଣ ସମ୍ପାଦକ ତଥା ଡାଇମଣ୍ଡ ହାର୍ବର ଏମ୍‌ପି ଅଭିଷେକ ବାନାର୍ଜୀ ନେଇଯିବେ ବୋଲି ଆଲିପୁରଦୁଆରଠାରେ ଏକ ସାଧାରଣ ସଭାରେ ଘୋଷଣା କରିଛନ୍ତି।

ପଶ୍ଚିମବଙ୍ଗକୁ ଏମ୍‌ଜିଏନ୍‌ଆରଇଜିଏ (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଗ୍ୟାରେଣ୍ଟି ଆଇନ) ଯୋଜନାର ବକେୟା ପାଣ୍ଠି ପୈଠ କରିବା ପାଇଁ ପ୍ରଧାନମନ୍ତ୍ରୀ ଓ ଗ୍ରାମାଞ୍ଚଳ ବିକାଶ ମନ୍ତ୍ରୀଙ୍କ ଉପରେ ଏହି ଚିଠି ମାଧ୍ୟମରେ ଚାପ ପକାଯିବ। ଏଥିପାଇଁ ଦଳ ପକ୍ଷରୁ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ ହେବ ବୋଲି ଅଭିଷେକ କହିଛନ୍ତି। ଟିଏମ୍‌ସିର ବୁଥ୍‌ସ୍ତରୀୟ କର୍ମୀ ଜନସାଧାରଣଙ୍କଠାରୁ ବିଶେଷ କରି ଯେଉଁମାନେ ଏମ୍‌ଜିଏନ୍‌ଆରଇଜିଏରେ କାର୍ଯ୍ୟ କରି ମଜୁରି ପାଇନାହାନ୍ତି ସେମାନଙ୍କଠାରୁ ଚିଠି ସଂଗ୍ରହ କରିବେ। ପଶ୍ଚିମବଙ୍ଗକୁ କେନ୍ଦ୍ର ସରକାର ବକେୟା ଅନୁଦାନ ପଠାଉ ନ ଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିକଟରେ ଦୁଇଦିନିଆ ଧାରଣାରେ ବସିଥିଲେ। ଅନ୍ୟପକ୍ଷରେ ଦୁର୍ନୀତିରେ ସମ୍ପୃକ୍ତ ତୃଣମୂଳ କଂଗ୍ରେସ ସରକାର ବିନିଯୋଗ ବିବରଣୀ ଦେଇପାରୁ ନ ଥିବାରୁ ବକେୟା ଅର୍ଥ ସ୍ଥଗିତ ରହିଥିବା ଭାଜପା କହିଛି।

 

Share