Categories: ଜାତୀୟ

ମହାରାଷ୍ଟ୍ର ରାଜନୀତିରେ ଟିଏମ୍‌ସିର ଏଣ୍ଟ୍ରି, ରେଡିସନ ବ୍ଲୁ ହୋଟେଲ ବାହାରେ ଧାରଣା…

ଗୁଆହାଟୀ, ୨୩।୬ : ମହାରାଷ୍ଟ୍ର ରାଜନୈତିକ ସଙ୍କଟରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି) ଏଣ୍ଟ୍ରି କରିଛି। ମମତା ବାନାର୍ଜୀଙ୍କ ଟିଏମସି କର୍ମୀମାନେ ଶିବସେନା ବିଧାୟକମାନେ ଗୁଆହାଟୀରେ ରହିଥିବା ହୋଟେଲ ରେଡିସନ ବ୍ଲୁ ବାହାରେ ପ୍ରଦର୍ଶନ କରିଛନ୍ତି। ହୋଟେଲରେ ଏକନାଥ ସିନ୍ଦେ ୪୧ ଶିବସେନା ଏବଂ ୮ ଜଣ ସ୍ବାଧୀନ ବିଧାୟକଙ୍କ ସହ ରହିଛନ୍ତି। ଟିଏମ୍‌ସି କହିଛି ଯେ ବିଧାୟକମାନଙ୍କ ସହ ଘୋଡା ବେପାର କରାଯାଉଛି। ଏହାକୁ ବନ୍ଦ କର ବୋଲି ଟିଏମ୍‌ସିକର୍ମୀ ମାନେ ସ୍ଲୋଗାନ ଦେଇଥିଲେ। ପୋଲିସ ସେମାନଙ୍କୁ ଗିରଫ କରିଛି।

ଅପରପକ୍ଷରେ, ଶିବସେନା ଏମ୍‌ପି ସଞ୍ଜୟ ରାଉତ ଦାବି କରିଛନ୍ତି ଯେ ଗୁଆହାଟୀରେ ହୋଟେଲରେ ଥିବା ୨୦ଜଣ ବିଧାୟକ ଶୀଘ୍ର ମୁମ୍ବାଇ ଫେରିବେ। ସମସ୍ତ ବିଧାୟକଙ୍କ ସହ ଆଲୋଚନା ହୋଇଛି। ସୂଚନାନୁସାରେ, ବିଦ୍ରୋହୀ ଦଳ କିଛି ସମୟ ମଧ୍ୟରେ ରାଜ୍ୟପାଳଙ୍କ ନିକଟକୁ ଦସ୍ତଖତ କରିଥିବା ଚିଠି ପଠାଇବେ। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ ସରକାରୀ ବାସଭବନ ଛାଡିବା ନେଇ ଏନସିପି ଅସନ୍ତୁଷ୍ଟ ହୋଇଛି।

ଗତ ୧୨ ଘଣ୍ଟା ମଧ୍ୟରେ ୫ ଶିବସେନା ବିଧାୟକ ଏବଂ ଦୁଇଜଣ ସ୍ବାଧୀନ ବିଧାୟକ ମହାରାଷ୍ଟ୍ରରୁ ଗୁଆହାଟୀର ହୋଟେରେ ପହଞ୍ଚିଥିବା କୁହାଯାଉଛି। ସେମାନଙ୍କ ମଧ୍ୟରେ ଗୁଲାବରାଓ ପାଟିଲ, ଯୋଗେଶ କଦମ, ସଦା ସର୍ବକର, ଯୋଗେଶ ପାୱାର ଏବଂ ମଙ୍ଗେଶ କୁଲାଙ୍କର ଅନ୍ତର୍ଭୁକ୍ତ। ଅବଶିଷ୍ଟ ଦୁଇଜଣ ବିଧାୟକ ମଞ୍ଜୁଳା ଗାଭିଟ ଏବଂ ଚନ୍ଦ୍ରକାନ୍ତ ପାଟିଲ ସ୍ବାଧୀନ ଅଛନ୍ତି। ସଦା, ଯୋଗେଶ ଏବଂ ମଙ୍ଗେଶ ଗୁରୁବାର ସକାଳେ ଗୁଆହାଟୀର ରେଡିସନ ବ୍ଲୁ ହୋଟେଲରେ ପହଞ୍ଚିଥିଲେ ।

Share