Categories: ଜାତୀୟ

ଏଲ୍‌ଏସିରେ ରାଫାଲ ବିମାନ ଉଡ଼ାଣ କରିବେ ବାରାଣସୀର ଏହି ଝିଅ

ଲକ୍ଷ୍ନୌ,୨୪ା୯: ବାରାଣସୀର ଝିଅ ଶିବାଙ୍ଗୀ ସିଂ ପ୍ରଥମ ମହିଳା ପାଇଲଟ ଭାବେ ଲଢୁଆ ଯୁଦ୍ଧ ବିମାନ ରାଫାଲ ଉଡ଼ାଣ କରିବାର ଗୌରବ ଅର୍ଜନ କରିଛନ୍ତି। ସେ ଦେଶର ସବୁଠାରୁ ଶକ୍ତିଶାଳୀ ତଥା ବାହୁବଳୀ ରାଫାଲ ବିମାନ ଉଡ଼ାଇବାର ଦାୟିତ୍ୱ ପାଇଛନ୍ତି। ଶିବାଙ୍ଗୀଙ୍କୁ ମିଳିଥିବା ଏହି ସମ୍ମାନ ପରେ ପୂରା ପରିବାରରେ ଆନନ୍ଦର ଲହରି ଖେଳିଯାଇଛି। ବିଭିନ୍ନ ଆଡୁ ଶିବାଙ୍ଗୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି।


ଶିବାଙ୍ଗୀଙ୍କର ଲଢୁଆ ଯୁଦ୍ଧ ବିମାନର ପାଇଲଟ ହେବାକୁ ଇଚ୍ଛା ଥିଲା। ସେ କର୍ନେଲ ନାନାଙ୍କୁ ଭେଟିଥିଲେ। ୨୦୧୫ରେ ତାଙ୍କର ଏହି ସ୍ବପ୍ନ ପୂରଣ ହୋଇଥିଲା। ଯେତେବେଳେ ସେ ଭାରତୀୟ ବାୟୁସେନାରେ ଫ୍ଲାଇଙ୍ଗ୍‌ ଅଫିସର ଭାବେ ମନୋନୀତ ହୋଇଥିଲେ। ଶିବାଙ୍ଗୀ ବର୍ତ୍ତମାନ ରାଜସ୍ଥାନ ଏୟାରବେସ୍‌ରେ ପୋଷ୍ଟିଂ ପାଇଛନ୍ତି। ସେ ବର୍ତ୍ତମାନ ମିଗ୍‌-୨୧ ଯୁଦ୍ଧ ବିମାନ ଉଡ଼ାଉଛନ୍ତି। ଖୁବ୍‌ଶୀଘ୍ର ଉତ୍ତରପ୍ରଦେଶର ଏହି ଝିଅ ଏଲଏସିରେ ରାଫାଲ ଯୁଦ୍ଧ ବିମାନ ଉଡ଼ାଇବେ।


ଚଳିତମାସ ୧୦ ତାରିଖରେ ଅମ୍ବାଲା ଏୟାରବେସ୍‌ରେ ଭାରତୀୟ ବାୟୁସେନାରେ ୫ଟି ରାଫାଲ ଯୁଦ୍ଧ ବିମାନର ପ୍ରଥମ ପରିବହନ ସାମଗ୍ରୀ ଆନୁଷ୍ଠାନିକ ଭାବେ ସାମିଲ କରାଯାଇଥିଲା। ଏହି ବିମାନଗୁଡ଼ିକ ବାୟୁସେନାର ୧୭ତମ ସ୍କାଡ୍ରନ ‘ଗୋଲ୍ଡେନ୍‌ ଏରୋ’ର ଏକ ଅଂଶ ହୋଇଛି। ଏହି ସ୍କାଡ୍ରନ୍‌ରେ ୧୮ଟି ରାଫାଲ ଯୁଦ୍ଧ ବିମାନ, ତିନି ଜଣ ଟ୍ରେନର ଏବଂ ୧୫ଟି ଯୁଦ୍ଧ ବିମାନ ରହିବ।
ଚାଇନା ସହ ଚାଲିଥିବା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ରାଫାଲ ବିମାନକୁ ଏଲ୍‌ଏସିରେ ନିୟୋଜିତ କରିଛନ୍ତି। ଭାରତୀୟ ଯୁଦ୍ଧ ବିମାନ ଏଠାରେ ଦିନରାତି ପାଟ୍ରୋଲିଂ କରୁଛି।

Share