ଇସଲାମାବାଦ,୧।୧୧: କୁହାଯାଏ ସତ କହିବା ସବୁବେଳେ ଭଲ। ମାତ୍ର ପାକିସ୍ତାନରେ ସତ କହିଥିବା ସାଂସଦ ଅୟାଜ ସିଦ୍ଧିକ୍ଙ୍କୁ ଦେଶଦ୍ରୋହୀ ଘୋଷଣା କରାଯିବା ନେଇ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେ ଭାରତୀୟ ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଥମାନଙ୍କୁ ନେଇ ସତ କଥା ପ୍ରକାଶ କରିଥିଲେ। ପାକିସ୍ତାନ ଭୟରେ ଅଭିନନ୍ଦନଙ୍କୁ ମୁକ୍ତ କରିଥିବା ସେ କହିଥିଲେ। ଅୟାଜ୍ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୂର୍ବରୁ ସୂଚନା ମନ୍ତ୍ରୀ ଶିବଲି ଫରାଜ୍ କହିଥିଲେ। ଅୟାଜ୍ଙ୍କୁ କଡ଼ା ଦଣ୍ଡ ଦେବା ଲାଗି ସରକାରୀସ୍ତରରେ ଉଦ୍ୟମ ଆରମ୍ଭ ହୋଇଥିବା କୁହାଯାଉଛି। ପାକିସ୍ତାନର ସାମ୍ବିଧାନିକ ଧାରା ୬ ଅନ୍ତର୍ଗତ ଅୟାଜ୍ଙ୍କ ବିରୋଧରେ ଦେଶଦ୍ରୋହ ଅପରାଧ ମାମଲା ଆରମ୍ଭ ହେବା ନେଇ ପାକିସ୍ତାନ ଗୃହମନ୍ତ୍ରୀ ବ୍ରିଗେଡ଼ିୟର ଇଜାଜ୍ ଶାହ ସୂଚନା ଦେଇଛନ୍ତି। ଅୟାଜ୍ଙ୍କ ବିରୋଧରେ ମିଳିଥିବା ଅଭିଯୋଗର ସମୀକ୍ଷା କରାଯାଉଥିବା ସେ କହିଛନ୍ତି।