କେଉଁ ନାମରେ ପରିଚିତ ହେବା

ଏକଦା ଇନ୍ଦୁ (ଚନ୍ଦ୍ର) ବା ଇନ୍ଦୁମତି (ପୂର୍ଣ୍ଣଚନ୍ଦ୍ର) ନାମକ ଜଣେ ରାଜକୁମାରୀ ଥିଲେ । ତାଙ୍କ ଭାଇ ଥିଲେ ବିଦର୍ଭର ରାଜା ଭୋଜ । ଇନ୍ଦୁ ଅଯୋଧ୍ୟା ରାଜା ଅଜଙ୍କୁ ତାଙ୍କ ସ୍ବାମୀ ଭାବରେ ବାଛିଲେ। ସେମାନଙ୍କର ଦଶରଥ ନାମକ ପୁତ୍ର ସନ୍ତାନ ଥିଲେ। କିନ୍ତୁ ତା’ପରେ ଇନ୍ଦୁଙ୍କର ମୃତ୍ୟୁ ଘଟିଲା। ତାଙ୍କ ଉପରେ ସ୍ବର୍ଗରୁ ପୁଷ୍ପ ବର୍ଷାହେବା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ଅଜ ତାଙ୍କ ବିନା ବଞ୍ଚିପାରିଲେ ନାହିଁ। ତେଣୁ ସିଂହାସନରେ ଯୁବାପୁଅ ଦଶରଥଙ୍କୁ ବସାଇବାର କିଛିଦିନ ପରେ ସେ ମୃତ୍ୟୁବରଣ କଲେ। ଦଶରଥଙ୍କ ବଡ଼ ପୁଅ ଥିଲେ ରାମ, ବଡ଼ ରାଣୀ କୌଶଲ୍ୟାଙ୍କ ଗର୍ଭରୁ ସେ ଜନ୍ମ ନେଇଥିଲେ। ତାଙ୍କର ଦ୍ୱିତୀୟ ପୁତ୍ର ଭରତ ପ୍ରିୟ ରାଣୀ କୈକେଇଙ୍କ ସନ୍ତାନ। କୈକେଇ ନିଜର ଚତୁରତା ବଳରେ ଭରତଙ୍କ ପାଇଁ ଦଶରଥଙ୍କ ସିଂହାସନ ସୁରକ୍ଷିତ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭରତ ଏହାକୁ ଗ୍ରହଣ କରିବାକୁ ନାରାଜ ଥିଲେ ଓ ନିୟମ ଅନୁଯାୟୀ ରାମ ରାଜମୁକୁଟର ଉତ୍ତରାଧିକାରୀ ବୋଲି ସେ କହିଥିଲେ। ରାମ ପ୍ରତିଷ୍ଠା କରିଥିଲେ ରାମରାଜ୍ୟ । ଆମେ ଏବେ ଇଣ୍ଡିଆ ବୋଲି କହୁଥିବା ଭୂମିକୁ ତାଙ୍କ ଜେଜେମା ଇନ୍ଦୁମତିଙ୍କ ନାମରେ ଏବଂ ତାଙ୍କ ଭାଇ ଭରତଙ୍କ ନାମରେ ଭାରତ ନାମିତ କରି ସେ ଶାସନ କରିଥିଲେ। ଏହି ନାମଗୁଡ଼ିକ ଆମକୁ ସ୍ମରଣ କରାଇଦିଏ ଯେ ରାମଙ୍କ ରାଜ୍ୟରେ ଥିବା ମହିଳାମାନଙ୍କୁ ସେମାନଙ୍କ ସ୍ବାମୀ ବହୁତ ଭଲ ପାଉଥିଲେ । ଏହାସହ ସେହି ରାଜ୍ୟରେ ସମ୍ପତ୍ତି ଉପରେ କଳି କରୁ ନ ଥିବା ଭାଇମାନେ ବି ଥିଲେ।
ଏହା ଏକ ହ୍ବାଟ୍ସଆପ୍‌ ମେସେଜ ହୋଇପାରେ। ଇଂରାଜୀ ଭାଷାଭାଷୀ ଏବଂ ହିନ୍ଦୁତ୍ୱ ପ୍ରଚାରପ୍ରସାର କରୁଥିବା ଗୁରୁଙ୍କ ଦ୍ୱାରା ଭାରତକୁ ନେଇ ଅନେକ କାଳ୍ପନିକ ଶବ୍ଦଗତ ସମୀକ୍ଷାକୁ ଉତ୍ସାହିତ କରାଯାଉଛି। ଏହିପରି ଏକ ଶାବ୍ଦିକ ସମୀକ୍ଷା ଦାବିକରେ ଯେ, ଭରତ ଭା (ଆଲୋକ) ଏବଂ ରତ (ସନ୍ଧାନ) ରୁ ଉତ୍ପନ୍ନ। ଅନ୍ୟ ଏକ ଦାବି କହେ ଯେ, ଏହା ଭାବ (ଭାବନା), ରାଗ (ସ୍ବର) ଏବଂ ତାଳ (ଗୀତ)ରୁ ଆସିଛି । ଭାରତ ନାମର ବୋଧହୁଏ ଜୈନ ଧର୍ମ ସହ ସମ୍ପର୍କ ଅଛି । ଏହା ପ୍ରଥମ ତୀର୍ଥଙ୍କର ଋଷଭ ଦେବଙ୍କ ପୁଅ ପ୍ରଥମ ଚକ୍ରବର୍ତ୍ତୀ ଭରତଙ୍କ ନାମରୁ ଉତ୍ପନ୍ନ ହୋଇଛି। ମେରୁ ପର୍ବତରେ ଖୋଦିତ ତାଙ୍କ ଭଳି ଅନେକ ଶହ ବିଶ୍ୱ ବିଜୟୀଙ୍କ ନାମ ନ ଦେଖିବା ପର୍ଯ୍ୟନ୍ତ ଅନୁଭବ କରୁଥିଲେ ସେ ହିଁ କେବଳ ଜଣେ ମାତ୍ର ବିଶ୍ୱ ବିଜୟୀ ଥିଲେ । କାଳଖଣ୍ଡରେ ସେହି ବିଶ୍ୱ ବିଜୟୀଙ୍କୁ ସମସ୍ତେ ଭୁଲିଯାଇଥିଲେ।
ଭାରତର ନାମ ଋଗ୍‌ବେଦରେ ସୂଚିତ ଭରତ ବଂଶରୁ ଆସିଛି ବୋଲି ଅନେକ ହିନ୍ଦୁ କାହାଣୀରେ ବର୍ଣ୍ଣନା ରହିଛି। ଏଭଳି କାହାଣୀଗୁଡ଼ିକ ଜୈନ କାହାଣୀକୁ ଗୌଣ କରିଦେବା ଅନେକ କ୍ଷେତ୍ରରେ ବି ଦେଖିବାକୁ ମିଳେ। ବେଦ ବର୍ଣ୍ଣତ ଭରତ ସାତୋଟି ନଦୀ (ସପ୍ତସିନ୍ଧୁ) ଅବବାହିକାର ଦେଶ(ଏବକାର କୁରୁକ୍ଷେତ୍ର)ର ୧୦ଜଣ ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ। ଖ୍ରୀଷ୍ଟପୂର୍ବ ୧୦୦୦ର ଭାରତୀୟ ଶାସ୍ତ୍ରରେ ଏହାକୁ ସର୍ବପ୍ରଥମ ଯୁଦ୍ଧ ଭାବେ ଉଲ୍ଲେଖ କରାଯାଇଛି। ଅନେକ ଶତାବ୍ଦୀ ପରେ ବ୍ୟାସଙ୍କ ମହାଭାରତ ମହାକାବ୍ୟ ସେହି ମହାନ୍‌ ବଂଶର କାହାଣୀଗୁଡ଼ିକୁ ବର୍ଣ୍ଣନା କରିଥିଲା। କିନ୍ତୁ ଏଥିରେ ଭରତ ଶକୁନ୍ତଳାଙ୍କ ପୁଅ ଭାବେ ବର୍ଣ୍ଣନା କରାଯାଇଛି, ଯିଏ ଜଙ୍ଗଲରେ ଜନ୍ମ ନେଇଥିଲେ। ତାଙ୍କ ପିତା ଦୁଷ୍ମନ୍ତ ତାଙ୍କ ମାତାଙ୍କୁ ମନେରଖିବାରେ ଏବଂ ତାଙ୍କୁ ରାଣୀ ଭାବରେ ଗ୍ରହଣ କରିବାରେ ଅସମର୍ଥ ଥିବାରୁ ଏଭଳି ଘଟିଥିଲା। ଦୁଷ୍ମନ୍ତ ଚନ୍ଦ୍ରବଂଶୀ ରାଜା ଥିଲେ। ଶକୁନ୍ତଳାଙ୍କ ପିତା କୌଶିକ ଥିଲେ ସୂର୍ଯ୍ୟବଂଶୀ। ଭରତ ଏହିପରି ଭାବରେ ତାଙ୍କ ପିତା ଏବଂ ଅଜାଙ୍କ ମାଧ୍ୟମରେ ରାଜାମାନଙ୍କର ଚନ୍ଦ୍ର ଏବଂ ସୂର୍ଯ୍ୟ ବଂଶର ମିଳନକୁ ସୂଚିତ କରନ୍ତି। ସେଥିପାଇଁ ଏହି ବଂଶକୁ ଭରତ ବଂଶ ଏବଂ ସେମାନଙ୍କର ଜମିକୁ ଭାରତବର୍ଷ ବୋଲି କୁହାଯାଇଛି।
ଭରତ ମଧ୍ୟ ଜଣେ ସନ୍ଥଙ୍କ ନାମ, ଯିଏ ରଙ୍ଗମଞ୍ଚ ଓ ନାଟକର ଗ୍ରନ୍ଥ ‘ନାଟ୍ୟଶାସ୍ତ୍ର’ ରଚନା କରିଥିଲେ। କିନ୍ତୁ ଦେଶର ନାମକରଣ କରିବା ସମୟରେ ସାଧାରଣତଃ ରାଜାମାନେ ପ୍ରାଧାନ୍ୟ ଦେଇଆସିଛନ୍ତି। ହିନ୍ଦୁ ଗ୍ରନ୍ଥଗୁଡ଼ିକ ଭରତବଂଶୀ ରାଜାମାନଙ୍କ ଦ୍ୱାରା ଅଧିକୃତ ଉପମହାଦେଶର ଅଂଶକୁ ଭାରତ ଖଣ୍ଡ ଭାବେ ସୂଚିତକରେ । ମାତ୍ର ୨୩୦୦ ବର୍ଷ ପୂର୍ବେ ଚନ୍ଦ୍ରଗୁପ୍ତ ମୌର୍ଯ୍ୟଙ୍କ ରାଜଦରବାରକୁ ମେଗାସ୍ଥିନିସ୍‌ ଆସିଥିଲେ ଓ ସେ ଯେଉଁ ଅଞ୍ଚଳ ପରିଦର୍ଶନ କରିଥିଲେ ତାହା ଥିଲା ସିନ୍ଧୁ ଅବବାହିକାର ଇଣ୍ଡିଆ। ଗ୍ରୀକ୍‌ମାନେ ଏହି ସିନ୍ଧୁ ନଦୀ ପ୍ଲାବିତ ଅଞ୍ଚଳକୁ ସିନ୍ଧ ବୋଲି କହିଲେ। ମେଗାସ୍ଥିନିସ୍‌ ଇଣ୍ଡିକା ଲେଖିବାର ୨୦୦ ବର୍ଷ ପରେ ଖ୍ରୀଷ୍ଟପୂର୍ବ ୧୦୦ରେ ଜୈନ ରାଜା ଖାରବେଳଙ୍କ ଦ୍ୱାରା ଓଡ଼ିଶାର ହାତୀଗୁମ୍ପାରେ ଭାରତବର୍ଷ ନାମ ଖୋଦିତ ହୋଇଥିଲା। ତାଙ୍କ ମତରେ ଭାରତବର୍ଷ ହେଉଛି ମଗଧର ପଶ୍ଚିମ(ଆଜିର ବିହାର)ରେ ଥିବା ଗାଙ୍ଗେୟ ସମତଳ ଅଞ୍ଚଳ। ପାରସ୍ୟମାନଙ୍କ ମତରେ, ସିନ୍ଧୁ ନଦୀ ତଥା ଏହାର ବାହାରେ ଥିବା ପ୍ଲାବିତ ଭୂମିର ନାମ ଥିଲା ହିନ୍ଦ୍‌। ଯେତେବେଳେ ଏହା ଚାଇନିଜରେ ଲେଖା ହେଲା ତାହାର ନାମ ହେଲା ତିଆନ୍‌ଝୁ। ଉଭୟ ଭାରତ ଏବଂ ଇଣ୍ଡିଆ ଆର୍ଯ୍ୟଦେଶକୁ ସୂଚିତ କରିଥିଲେ, ଯାହା ପ୍ରାଚୀନ ଧର୍ମଶାସ୍ତ୍ର ଅନୁଯାୟୀ ହିମାଳୟ ଓ ବିନ୍ଧ୍ୟ ମଧ୍ୟରେ ଅବସ୍ଥିତ ଏବଂ ଏହା ଥିଲା କୃଷ୍ଣସାରଙ୍କ ଭୂମି। ଇଣ୍ଡିଆ କିମ୍ବା ଭାରତ, ନର୍ମଦା ନଦୀର ଦକ୍ଷିଣରେ ଥିବା ଦକ୍ଷିଣ ଭାରତର (ଦ୍ରାବିଡ଼ ଦେଶ) କିମ୍ବା ଗଣ୍ଡକ ନଦୀର ପୂର୍ବଭାଗରେ ଥିବା ପୂର୍ବ ଭାରତ (ପ୍ରାଚୀ ଦେଶ)କୁ ସୂଚିତ କରେନାହିଁ।
ଯେପର୍ଯ୍ୟନ୍ତ ଆମେ ଇନ୍ଦୁମତିର କାହାଣୀ ଗ୍ରହଣ କରୁନାହୁଁ, ସେଯାଏ ଇଣ୍ଡିଆ ନାମକୁ ବିଦେଶୀମାନେ କପା, ଲୁହା ଓ ମସଲାର ଦେଶ ଭାବେ ଦେଖୁଥିଲେ ବୋଲି ଗ୍ରହଣ କରିବାକୁ ହେବ। ତେବେ ଗାଙ୍ଗେୟ ସମତଳ ଅଞ୍ଚଳରେ ଥିବା ଓ ମନୁସ୍ମୃତିକୁ ଗୁରୁତ୍ୱ ଦେଉଥିବା ସଂସ୍କୃତ ଭାଷାଭାଷୀ ଆଭିଜାତ୍ୟ ବ୍ରାହ୍ମଣଙ୍କ ଦ୍ୱାରା ଦିଆଯାଇଥିବା ନାମ ଭାରତକୁ ଗ୍ରହଣ କରିବା। ଏକବିଂଶ ଶତାବ୍ଦୀରେ ଆମେ ନିଜକୁ କିପରି ପରିଚିତ କରିବା? ଉତ୍ତର ଭାରତୀୟ ଆଭିଜାତ୍ୟ ବର୍ଗଙ୍କ ଦ୍ୱାରା ଆମକୁ ଦିଆଯାଇଥିବା ନାମ ଦ୍ୱାରା ? ଅଥବା ଆମକୁ ପ୍ରଶଂସା କରିଥିବା ଓ ଆମ ସହ ବାଣିଜ୍ୟ ସ୍ଥାପନ କରି ଉପନିବେଶ ସ୍ଥାପନ କରିଥିବା ପାରସ୍ୟ ଏବଂ ୟୁରୋପୀୟମାନଙ୍କ ପରି ବିଦେଶୀମାନେ ଦେଇଥିବା ନାମରେ ଆମେ ପରିଚିତ ହେବା?
କେହି ନିଜ ନାମ ସ୍ଥିର କରନ୍ତି ନାହିଁ । ପିତାମାତା, ଗୁରୁଜନ ଓ ଶିକ୍ଷକମାନେ ଆମ ନାମ ଦେଇଛନ୍ତି। ଯେତେବେଳେ ଲୋକମାନେ ସେମାନଙ୍କର ଧର୍ମ ପରିବର୍ତ୍ତନ କରନ୍ତି କିମ୍ବା ଏକ କଳ୍ପିତ ଅତୀତ ସହିତ ସମ୍ପର୍କ ଭାଙ୍ଗିବାକୁ ଇଚ୍ଛା କରନ୍ତି ସେତେବେଳେ ସେମାନଙ୍କର ନାମ ପରିବର୍ତ୍ତନ କରନ୍ତି। କିନ୍ତୁ ରାମଙ୍କ ଭୂମି ନିଶ୍ଚିତ ଭାବରେ ତାଙ୍କ ଭାଇ ଭରତଙ୍କ ପାଇଁ ସ୍ଥାନ ସୃଷ୍ଟି କରିପାରିବ, ଯିଏ କି ସମ୍ପତ୍ତି ଉପରେ ଲଢି ନ ଥିଲେ ଏବଂ ଯାହାଙ୍କ ଜେଜେମା ଇନ୍ଦୁମତିି ଚନ୍ଦ୍ର ପରି ଉଜ୍ଜ୍ୱଳ ଥିଲେ ଓ ଯାହାଙ୍କୁ ତାଙ୍କ ଜେଜେବାପା ବହୁତ ଭଲପାଉଥିଲେ।
-devduttofficial@gmail.com