Categories: ଜାତୀୟ

ଶବଦାହ ପାଇଁ ଅସ୍ଥାୟୀ ଗ୍ରାଉଣ୍ଡ ଖୋଜୁଛନ୍ତି କର୍ନାଟକ ସରକାର

ବେଙ୍ଗାଲୁରୁ,୨୧।୪: କରୋନାର ଦ୍ୱିତୀୟ ଲହରରେ ପ୍ରଭାବିତ ହୋଇଥିବା ଅନ୍ୟ ରାଜ୍ୟ ଠାରୁ କର୍ନାଟକରେ ମୃତ୍ୟୁହାର କମ ରହିଛି। କିନ୍ତୁ ରାଜ୍ୟର ରାଜଧାନୀରେ ଗତ କିଛି ଦିନ ହେଲା ଦିନ ରାତି ଜଳୁଛି ଜୁଇ। ତଥାପି ଶବଦାହ କେନ୍ଦ୍ରରେ ଲାଗି ରହିଛି ମୃତଦେହର ଲମ୍ବା ଲାଇନ। ଏହାକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଶବଦାହ କେନ୍ଦ୍ର ପାଇଁ ରାଜଧାନୀର ଆଖପାଖରେ ଫାଙ୍କା ପଡ଼ିଥିବା ଗ୍ରାଉଣ୍ଡ ଖୋଜୁଛନ୍ତି ରାଜ୍ୟ ସରକାର।

କୋଭିଡ୍‌ ଦ୍ୱିତୀୟ ଲହରରେ ସବୁଠୁ ଅଧିକ ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ କର୍ନାଟକ ରହିଛି। ଗତ ୨୪ ଘଣ୍ଟାରେ ୨୧,୭୯୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୪୯ ଜଣଙ୍କ ଜୀବନ ନେଇଛି କରୋନା। କିନ୍ତୁ ଅନ୍ୟ ରାଜ୍ୟ ତୁଳନାରେ କର୍ନାଟକରେ ମୃତ୍ୟୁ ହାର ଅପେକ୍ଷାକୃତ କମ୍‌ ରହିଛି।

ଜିଲା ପାଳ ଏବେ ଠାରୁ ରାଜଧାନୀ ଆଖପାଖରେ ଥିବା ଗ୍ରାଉଣ୍ଡ ଚିହ୍ନଟ କରିବା ସହ ସେଠାରେ ବୋରଓ୍ବେଲ, ବିଦ୍ୟୁତ ସଂଯୋଗ, ପାନୀୟ ଜଳ ବ୍ୟବସ୍ଥା ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି ଅସ୍ଥାୟୀ ଭାବେ ନିର୍ମାଣ କରାଯାଉଛି। ଏଠାରେ କେବଳ କୋଭିଡ୍‌ ଆକ୍ରାନ୍ତ ମୃତଦେହ ଦାହ କରାଯିବ ବୋଲି ରାଜସ୍ବ ମନ୍ତ୍ରୀ ଆର. ଅଶୋକ କହିଛନ୍ତି।

Share