ବିପର୍ଯ୍ୟୟକୁ ସାମ୍ନାକରିବ ତାଳ, ହେନ୍ତାଳ

ମହାକାଳପଡ଼ା,୩।୭(ପ୍ରତାପ ଚନ୍ଦ୍ର ସ୍ବାଇଁ): ଜଳବାୟୁ ପରିବର୍ତ୍ତନ ଯୋଗୁ ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା ଅନିୟମିତତା ଦେଖାଯାଉଛି। ବର୍ଷାଦିନରେ ଗରମ ଅନୁଭୂତ ହେବା, ଶୀତଋତୁରେ ଥଣ୍ଡା ହ୍ରାସ ହେବାରୁ ଜଳବାୟୁରେ ଅସାନମତା ସୃଷ୍ଟି ହେଉଛି। ଏହାର କାରଣ ଓ ନିରାକରଣ ପାଇଁ ବିଶ୍ୱର ପରିବେଶବିତ୍‌ ଓ ପାଣିପାଗ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ଗରମ ଲାଗି ଆଣ୍ଟଲାଟିକ୍‌ର ପ୍ରବଳ ମାତ୍ରାରେ ବରଫ ତରଳିବା ଯୋଗୁ ସମୁଦ୍ର ଜଳ ପତ୍ତନ ବଢୁଛି। ସେହିପରି ତାପମାତ୍ରା ବୃଦ୍ଧି ଯୋଗୁ ସାମୁଦ୍ରିକ ବାତ୍ୟା ସୃଷ୍ଟି ହୋଇ ୩ ଶହ କି.ମି. ପର୍ଯ୍ୟନ୍ତ ପବନ ବହିବାର ଦେଖାଦେଇଛି। ୧୮୮୫, ୧୯୨୧, ୧୯୪୫, ୧୯୭୧, ୧୯୮୨, ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ୍‌ , ୨୦୧୪ ହୁଡ୍‌ ହୁଡ୍‌, ୨୦୧୮ ତିତିଲି, ୨୦୧୯ ଫନୀ ଭଳି ସାମୁଦ୍ରିକ ବାତ୍ୟା ଯୋଗୁ ଉପକୂଳ ଅଞ୍ଚଳରେ ନାହିଁ ନ ଥିବା କ୍ଷତି ହେଉଛି। ଏହି ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରିବାକୁ ହେଲେ ପ୍ରଚୁର ପରିମାଣରେ ହେନ୍ତାଳ ଜଙ୍ଗଲ ଓ ତାଳଗଛ ବଣ ଆବଶ୍ୟକ। ଏହି ଗଛ ଉପକୂଳ ଅଞ୍ଚଳରେ ସୁରକ୍ଷା ପାଚେରି ଭାବେ ଉଭାହେବ ବୋଲି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଞ୍ଚଳରେ ପରିବେଶବିତ୍‌ମାନେ କହିଛନ୍ତି।
ମହାକାଳପଡ଼ା ବ୍ଲକ୍‌ର ବତିଘର, ଜମ୍ବୁ , ସୁନିତି, ଶାସନ ପେଟାଠାରେ ବିପୁଳ ପରିମାଣରେ ଲୁଣା ଜଙ୍ଗଲ, ହେନ୍ତାଳ ବଣ, ଝାଉଁବଣଗୁଡ଼ିକ ବନ ବିଭାଗ ପକ୍ଷରୁ ରୋପଣ କରାଯାଇଛି। ଆଗକୁ ବହୁ ପରିମାଣରେ ନୂଆ ଚାରା ରୋପଣ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ। ଅପରପକ୍ଷରେ ଗ୍ରାମାଞ୍ଚଳରେ ପଡ଼ିଆ, ନଦୀବନ୍ଧ, ବାଡ଼ି ବଗିଚାରେ ବିପୁଳ ପରିମାଣରେ ତାଳଗଛ ସୃଷ୍ଟିକରିବା ପାଇଁ ସରକାରୀ, ବେସରକାରୀ ଓ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଆଗେଇଆସିବା ପାଇଁ ପରିବେଶପ୍ରେମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଆଗାମୀଦିନରେ ସାମୁଦ୍ରିକ ବାତ୍ୟାକୁ ସାମ୍ନାକରିବା ପାଇଁ ପ୍ରଚୁର ପରିମାଣରେ ହେନ୍ତାଳ ବଣ, ଝାଉଁବଣ, ଲୁଣା ଜଙ୍ଗଲ, ତାଳଗଛ ଓ ଅନ୍ୟ ଲୁଣା ଜାତୀୟ ଗଛ ଉପକୂଳ ସୁରକ୍ଷା ପାଚେରି କବଚ ହେବ ବୋଲି ପରିବେଶବିତ୍‌ ସ୍ବାଇଁ କହିଛନ୍ତି। ଅପରପକ୍ଷରେ ବିପୁଳ ପରିମାଣରେ ତାଳଗଛ ରୋପଣ ପାଇଁ ପ୍ରୟାସ ଆରମ୍ଭ ହେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ବିରଞ୍ଚତ୍ ନାରାୟଣ ଦାସ କହିଛନ୍ତି। କାରଣ ତାଳବଣ ଯୋଗୁ ବଜ୍ରପାତକୁ ପ୍ରତିହତ କରାଯାଇପାରିବ ବୋଲି ସାମାଜିକ କର୍ମୀ ଲକ୍ଷ୍ମୀକାନ୍ତ ସ୍ବାଇଁ କହିଛନ୍ତି। ପ୍ରଶାସନ ଓ ବନ ପକ୍ଷରୁ ତାଳ, ହେନ୍ତାଳ ବଣ ସୃଷ୍ଟି କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ୩ ବର୍ଷ ମଧ୍ୟରେ ବ୍ଲକ୍‌ର ଶଙ୍ଖପଦା, କୋଚିଳା ଗ୍ରାମ ନିକଟ ଗୁପ୍ତଗିରି ନଦୀ ପାର୍ଶ୍ୱରେ ବିପୁଳ ପରିମାଣରେ ତାଳ ଚାରା ଗଛ ରୋପଣ ଅଞ୍ଚଳର ଜଣାଶୁଣା ପରିବେଶବିତ୍‌ ସମରେନ୍ଦ୍ର ମାହାଳି କରିଛନ୍ତି। ଏହି ଗଛ ତନ୍ତୁ ଜାତୀୟ ହୋଇଥିବାରୁ ଭୟଙ୍କର ପବନ ବେଗକୁ ରୋକିବାରେ ସଫଳ ହେବ ବୋଲି ପାଣିପାଗ ବିଜ୍ଞାନୀମାନେ ମତବ୍ୟକ୍ତ କରିଛନ୍ତି।