ରାଞ୍ଚି,୨୮।୩: ଝାଡ଼ଖଣ୍ଡର ସେମଡ଼େଗା ସଦର ହସ୍ପିଟାଲର ଜିଲା ପ୍ରୋଗ୍ରାମ୍ ମ୍ୟାନେଜର ରାଜୀବ କୁମାରଙ୍କୁ ଏକାଧିକ ମହିଳାଙ୍କ ସହିତ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗିରଫ କରାଯାଇଛି। ଚାକିରି ଦେବାକୁ କହି ରାଜୀବ ମହିଳାଙ୍କୁ କଥାବାର୍ତ୍ତା ହେବା ପାଇଁ ଘରକୁ ଡାକୁଥିଲେ। ଏହାପରେ ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ସହିତ ଅନ୍ୟ ନିର୍ଯାତନା ଦେଉଥିଲେ। ଏସବୁ ଭିଡ଼ିଓ ମଧ୍ୟ ସେ କରୁଥିଲେ। ପରବର୍ତ୍ତୀ ସମୟରେ ଭିଡ଼ିଓକୁ ନେଇ ରାଜୀବ ସମ୍ପୃକ୍ତ ମହିଳାଙ୍କୁ ବ୍ଳାକ୍ମେଲ କରୁଥିଲେ। ୧୨ରୁ ଅଧିକ ମହିଳାଙ୍କ ସହିତ ଦୁଷ୍କର୍ମ କରିବା ପରେ ପୋଲିସକୁ ଏନେଇ ଖବର ମିଳିଥିଲା। ଏସମ୍ପର୍କରେ ଖବର ମିଳିବା ପରେ ମହିଳା ଥାନାରେ ଏକ ମାମଲା ଦାଏର ହୋଇଥିଲା। ଥାନାରେ ମାମଲା ଦାଏର ହେବା ପରେ ରାଜୀବ ଫେରାର ହୋଇଯାଇଥିଲେ। ରାଜୀବଙ୍କୁ ଗିରଫ କରାଯାଇ ପଚରା ଉଚରା କରାଯାଉଥିବା ଏସ୍ପି ଶମ୍ସ୍ ତବରେଜ୍ ସୂଚନା ଦେଇଛନ୍ତି। ତାଙ୍କ ପାଖରୁ ଲ୍ୟାପଟପ୍, ସିଡ଼ି, ପେନ୍ ଡ୍ରାଇଭ୍ ଏବଂ କେତେକ ମୋବାଇଲ୍ ଜବତ କରାଯାଇଛି। ଏହାର ତଦନ୍ତ ଜାରି ରହିଛି।