Categories: ଜାତୀୟ

ମତେ ଆଜି ମନ୍ଦିର ଯିବାକୁ ମନା କରାଯାଇଛି, କେଉଁ ଅପରାଧ କରିଛି ମୁଁ: ରାହୁଲ…

ଗୁଆହାଟୀ,୨୨।୧ : ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଏବେ ରାହୁଲ ଗାନ୍ଧୀ ଆସାମରେ ଅଛନ୍ତି। ସୋମବାର ଗଣମାଧ୍ୟମକୁ ସୂଚନା ଦେଇ ସେ ଅଭିଯୋଗ କରିଛନ୍ତି ତାଙ୍କୁ ଆଜି ମନ୍ଦିର ଯିବାକୁ ବାରଣ କରାଯାଇଛି। ରାହୁଲ ଗାନ୍ଧୀ କହିଛନ୍ତି ପୂର୍ବରୁ ତାଙ୍କୁ ମନ୍ଦିର ଯିବାକୁ ଅନୁମତି ଦିଆଯାଇଥିଲା, କିନ୍ତୁ ଆଜି ତାଙ୍କୁ ମନା କରାଯାଇଛି।

ଭାରତ ଯୋଡୋ ନ୍ୟାୟ ଯାତ୍ରା ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆସାମର ନାଗାଓଁ ଜିଲାରେ ପହଞ୍ଚିଛି। ଏଠାରେ ବତାଦ୍ରଭା ଅଞ୍ଚଳରେ ବୈଷ୍ଣବ ସାଧୁ ଶ୍ରୀମନ୍ତ ଶଙ୍କରଦେବଙ୍କ ଜନ୍ମସ୍ଥାନ ରହିଛି। କାର୍ଯ୍ୟକ୍ରମ ଅନୁଯାୟୀ ରାହୁଲ ଗାନ୍ଧୀ ଆଜି ଶଙ୍କରଦେବ ମନ୍ଦିରକୁ ଯିବାର ଥିଳା। କିନ୍ତୁ ବର୍ତ୍ତମାନ ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ତାଙ୍କୁ ଆଜି ମନ୍ଦିର ଯିବାକୁ ବାରଣ କରାଯାଇଛି। ରାହୁଲ ଗାନ୍ଧୀ କହିଛନ୍ତି ଆମେ ମନ୍ଦିରକୁ ଯିବାକୁ ଚାହୁଁଛୁ। ମୁଁ କେଉଁ ଅପରାଧ କରିଛି ମୁଁ ମନ୍ଦିରକୁ ଯାଇ ପାରିବି ନାହିଁ?

ସୂଚନାଯୋଗ୍ୟ ମନ୍ଦିରର ପରିଚାଳନା କମିଟି ସୋମବାର ଅପରାହ୍ନ ୩ ଟା ପରେ ରାହୁଲ ଗାନ୍ଧୀଙ୍କୁ ଆସିବାକୁ ସୂଚନା ଦେଇଛନ୍ତି। ପରିଚାଳନା କମିଟିର ମୁଖ୍ୟ ଯୋଗେନ୍ଦ୍ର ଦେବ ମହନ୍ତ କହିଛନ୍ତି ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅବସରରେ ଅନେକ ସଂଗଠନ ମନ୍ଦିର ପରିସରରେ ଭକ୍ତି କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯୋଜନା କରିଛନ୍ତି। ଏହି ଅବସରରେ ବହୁ ସଂଖ୍ୟକ ଲୋକ ମନ୍ଦିରକୁ ଆସିବେ, ତେଣୁ ରାହୁଲ ଗାନ୍ଧୀଙ୍କୁ ଅପରାହ୍ନ ୩ ଟା ପରେ ମନ୍ଦିରକୁ ଆସିବାକୁ କୁହାଯାଇଛି।

କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ରାହୁଲ ଗାନ୍ଧୀ ମନ୍ଦିରକୁ ଯିବାକୁ ଚାହୁଁଥିଲେ। ଆମେ ଜାନୁଆରୀ ୧୧ ରୁ ଏହା ପାଇଁ ଚେଷ୍ଟା କରୁଛୁ। ଆମର ଦୁଇଜଣ ବିଧାୟକ ମଧ୍ୟ ମନ୍ଦିର କମିଟିଙ୍କୁ ଭେଟିଥିଲେ। ଆମେ ସେମାନଙ୍କୁ କହିଥିଲୁ ଆମେ ଜାନୁଆରୀ ୨୨ ରେ ସକାଳ ୭ଟାରେ ଆସିବୁ, କିନ୍ତୁ ଗତକାଲି ଜାନୁଆରୀ ୨୧ରେ ଆମକୁ ହଠାତ ଅପରାହ୍ନ ୩ ଟା ପରେ ଆସିବାକୁ କୁହାଗଲା । ରାଜ୍ୟ ସରକାରଙ୍କ ଚାପରେ ଏହା ଘଟୁଛି। ଆମେ ମନ୍ଦିରକୁ ଯିବାକୁ ଚେଷ୍ଟା କରିବୁ, କିନ୍ତୁ ୩ଟା ପରେ ଯିବା କଷ୍ଟକର ହେବ କାରଣ ଆମର ଧାର୍ଯ୍ୟ ଦୂରତା ଅତିକ୍ରମ କରିବାକୁ ଅଛି । ଏନେଇ ରାହୁଲ ଧାରଣା ଦେଇଛନ୍ତି।

 

 

Share