ଶିଶୁର ଶାରୀରିକ ବିକାଶ ଲାଗି ଆବଶ୍ୟକ ସମସ୍ତ ଉପାଦାନ ତା’କୁ ମା’ କ୍ଷୀରରୁ ମିଳିଥାଏ। ହେଲେ କେତେକ ମା’ଙ୍କ କ୍ଷେତ୍ରରେ କ୍ଷୀର କ୍ଷରଣ କମ ହେବା ଫଳରେ ଶିଶୁକୁ ଆବଶ୍ୟକ ମାତ୍ରାରେ କାର୍ବୋହାଇଡ୍ରେଟ୍, କ୍ୟାଲ୍ସିଅମ୍, ପ୍ରୋଟିନ୍, ମିନେରାଲ୍ସ, ଭିଟାମିନ୍ସ ଭଳି ସମସ୍ତ ଆବଶ୍ୟକ ପୋଷକ ତତ୍ତ୍ୱ ଅଭାବ ହୋଇଥାଏ। ଯାହାକୁ ଭରଣା କରିବା ଲାଗି ମା’କୁ ନିଜ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ। ମନେ ରଖନ୍ତୁ ଅନେକେ ଭାବନ୍ତି ନିର୍ଦ୍ଧିଷ୍ଟ ଖାଦ୍ୟ କିମ୍ବା ଭିଟାମିନ୍ ଔଷଧ, ପ୍ରୋଟିନ୍ ପାଉଡର, ଆଡିଶନାଲ ଫୁଡ୍ ସପ୍ଲିମେଣ୍ଟ ଇତ୍ୟାଦି ଖାଇଲେ ମା’ ଶରୀରିକ ଆବଶ୍ୟକତା ଭରଣା କରିହେବା ସହ କ୍ଷୀର ଅଧିକ ହେବ। କେହି କେହି ସ୍ତନ୍ୟଦାତ୍ରୀ ମା’ଙ୍କୁ ଏହା ଖାଇବା ଠିକ୍ ନୁହେଁ, ଏହା ଖାଇଲେ ଶିଶୁର ଝାଡା ହେବ, ଦେହ ଖରାପ ହେବ ଇତ୍ୟାଦି କହିଥାନ୍ତି। ହେଲେ ବାସ୍ତବରେ ଏସବୁ ଏକ ଭ୍ରାନ୍ତ ଧାରଣା ଯାହାକୁ ସୋସିଓ କଲ୍ଚରାଲ୍ ଆସ୍ପେକ୍ଟ୍ସ୍ ଅଫ୍ ଫୁଡ୍’ ବା ଆମ ଖାଦ୍ୟ ଅଭ୍ୟାସରେ ସାମାଜିକ ଓ ସାଂସ୍କୃତିକ କାରକଗୁଡିକର ପ୍ରଭାବ କୁହାଯାଏ। ତେଣୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଠିକ୍ ପରିମାଣରେ କ୍ଷୀର ହେବା ସହ ମା’ ଶରୀର ସୁସ୍ଥ ରହିବା ଲାଗି ମା’କୁ ସବୁବେଳେ ପେଟ ପୁରାଇ ଖାଇବା ଦରକାର ଏବଂ ଯାହାବି ପୂର୍ବରୁ ଖାଉଥିଲେ ତା’ଠାରୁ ଅଧିକ ପରିମାଣରେ ଖାଦ୍ୟ ଆବଶ୍ୟକ। ଅର୍ଥାତ୍ ଦୈନିକ ଭାତ, ଡାଲି, କ୍ଷୀର, ତେଲ, ଘିଅ ଏବଂ ଚିନି, ଗୁଡ଼ ଆଦି ଖାଦ୍ୟର ମାତ୍ରା ବଢାଇବା ଆବଶ୍ୟକ। ଏହା ବ୍ୟତୀତ ରୁଟି, ଦୁଧ, ଛେନା, ଫଳ, ଶାଗୁ, ଲାଉ, ସନ୍ତୁଳା ଓ ତଟକା ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ଫଳରସଠୁ ଆରମ୍ଭକରି ଅନ୍ୟ ସବୁ ପ୍ରକାର ଖାଦ୍ୟ ବି ଖାଇବା ଦରକାର। ଏ ସମୟରେ ପ୍ରଚୁର ପାଣି ପିଇବା ଦରକାର। ତେବେ ସାଧାରଣତଃ ସ୍ବାସ୍ଥ୍ୟ ପ୍ରତି ନକାରାତ୍ମକ ପ୍ରଭାବ ପକାଉଥିବା ଅଧିକ ଥଣ୍ଡା, ତେଲ ମସଲା ଖାଦ୍ୟ, ଫାଷ୍ଟଫୁଡ୍ ଜାତୀୟ ଖାଦ୍ୟ ନ ଖାଇବା ଭଲ। ଏହାବ୍ୟତୀତ ବିନା ଡାକ୍ତରଙ୍କ ପରାମର୍ଶରେ କ୍ଷୀର ବଢାଇବା ଲାଗି କୌଣସି ଔଷଧ ଖାଇବା ଶିଶୁ ପାଇଁ ବିପଦପୂର୍ଣ୍ଣ।