ବନ୍ଦେ ଭାରତ ଟ୍ରେନ୍‌ରେ କରୋନାରୁ ଯାତ୍ରୀଙ୍କୁ ରଖାଯିବ ସୁରକ୍ଷିତ, ରହିଛି ଏସବୁ ବ୍ୟବସ୍ଥା…

ନୂଆଦିଲ୍ଲୀ, ୧୩।୯ : ଖୁବ ଶୀଘ୍ର ଟ୍ରାକରେ ଚାଲିବାକୁ ଯାଉଥିବା ବନ୍ଦେ ଭାରତ ଟ୍ରେନରେ କେତେକ ପରିବର୍ତ୍ତନ କରାଯାଇଛି। ଏହି ନୂତନ ବନ୍ଦେ ଭାରତ-୨ ଟ୍ରେନରେ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମଣ ନହେବା ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଯାତ୍ରୀମାନଙ୍କ ସ୍ବାସ୍ଥ୍ୟ ଦୃଷ୍ଟିରୁ ଏହି ନୂଆ ଟ୍ରେନ ଅଧିକ ସୁରକ୍ଷିତ ବୋଲି କୁହାଯାଛଛି। ବର୍ତ୍ତମାନ ଏହି ପରିବର୍ତ୍ତନ ଆଗାମୀ ସମସ୍ତ ବନ୍ଦେ ଭାରତ ଟ୍ରେନରେ କରାଯିବ।

ବାୟୁରୁ ଆସୁଥିବା ଭୂତାଣୁ, ଜୀବାଣୁ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟଗତ ସଂକ୍ରମଣ ସମସ୍ୟରୁ ଦୂରେଇ ରଖିବା ପାଇଁ ନୂତନ ବନ୍ଦେ ଭାରତ ଟ୍ରେନରେ କାଟାଲାଇଟିକ ଅଲଟ୍ରାଭାଇଓଲେଟ ଏୟାର ପ୍ୟୁରିଫିକେଶନ ସିଷ୍ଟମ ସ୍ଥାପନ କରାଯାଇଛି। ବାୟୁ ବିଶୋଧନ ପାଇଁ ଏକ ଛାତ ମାଉଣ୍ଟେଡ ପ୍ୟାକେଜ ୟୁନିଟ(ଆରଏମପିୟୁ) ଭାବରେ ଏହି ସିଷ୍ଟମ ଟ୍ରେନ୍‌ର ନୂତନ ଡିଜାଇନରେ ଉପଲବ୍ଧ ହେବ। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅନୁଯାୟୀ, କେନ୍ଦ୍ରୀୟ ବୈଜ୍ଞାନିକ ଉପକରଣ ସଂଗଠନ ସିଏସ୍‌ଆଇଓ, ଚଣ୍ଡିଗଡ଼ର ସୁପାରିଶ କ୍ରମେ ଆରଏମପିୟୁର ଉଭୟ ମୁଣ୍ଡରେ ଏହି ବ୍ୟବସ୍ଥା ସ୍ଥାପନ କରାଯାଇଛି। ଯାହାଦ୍ୱାରା ଭୁତାଣୁ, ଜୀବାଣୁ ରହିତ ନିର୍ମଳ ବାୟୁକୁ ଫିଲ୍ଟର୍‌ ଦ୍ୱାରା ସଫା କରାଯାଇପାରିବ। ଫଳରେ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନେ ଏକ ସୁସ୍ଥ ପରିବେଶରେ ଯାତ୍ରା କରିପାରିବେ।

ସୂଚନା ଅନୁଯାୟୀ, ନୂତନ ବନ୍ଦେ ଭାରତ ଟ୍ରେନ ୩୦ ସେପ୍ଟେମ୍ବରରୁ ଆରମ୍ଭ ହେବ ବୋଲି କୁହାଯାଉଛି। ରେଳ ମନ୍ତ୍ରୀଙ୍କ ଅନୁଯାୟୀ ଟ୍ରେନରେ ସିଆରଏସ କ୍ଲିୟରାନ୍ସ ରହିଛି। ସେପ୍ଟେମ୍ବର ୩୦ରେ ଅହମ୍ମଦାବାଦରୁ ଟ୍ରେନକୁ ଫ୍ଲାଗ ଅଫ୍‌ କରାଯାଇପାରିବ ବୋଲି ସମ୍ଭାବନା ପ୍ରକାଶ ପାଇଛି।

ଭାରତୀୟ ରେଳବାଇ ୧୫ ଅଗଷ୍ଟ ୨୦୨୩ ପୂର୍ବରୁ ଏକ ବର୍ଷ ମଧ୍ୟରେ ୭୫ ବନ୍ଦେ ଭାରତ ଟ୍ରେନକୁ ଟ୍ରାକରେ ରଖିବାକୁ ପ୍ରସ୍ତୁତ ହେଉଛି। ରେଳ ମନ୍ତ୍ରଣାଳୟ ଅନୁଯାୟୀ, ନୂତନ ଟ୍ରେନ ନିର୍ମାଣ ପରେ ଅବଶିଷ୍ଟ ୭୪ ବନ୍ଦେ ଭାରତ ଟ୍ରେନର ଉତ୍ପାଦନ ଖୁବ ଶୀଘ୍ର କରାଯିବ। ପ୍ରଥମ ଦୁଇ-ତିନି ମାସରେ, ପ୍ରତି ମାସରେ ଦୁଇରୁ ତିନି ବନ୍ଦେ ଭାରତ ଟ୍ରେନ ଉତ୍ପାଦନ ହେବ। ଏହା ପରେ ଉତ୍ପାଦନ ପ୍ରତି ମାସରେ ୬ ରୁ ୭ କୁ ବୃଦ୍ଧି କରାଯିବ। ଏହିପରି, ଆସନ୍ତା ବର୍ଷ ସୁଦ୍ଧା ୭୫ କିମ୍ବା ଅଧିକ ଟ୍ରେନ ନିର୍ମାଣ ହେବ ।

Share