ଝିଣ୍ଟିକା ମାରି ବଣି ପୋଷିବା

ହରିଶଙ୍କର ମିଶ୍ର

 

ରାଜ୍ୟ ସରକାର ବିଗତ ୨୩ ବର୍ଷ ମଧ୍ୟରେ ବିଭିନ୍ନ ଯୋଜନା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରି ସମାଜର ଅନେକ ବର୍ଗର ଲୋକଙ୍କୁ କେବଳ ସରକାରୀ ମାଗଣା ଯୋଜନାରେ ଅନ୍ତର୍ଭୁକ୍ତ କରିନାହାନ୍ତି ବରଂ ରାଜ୍ୟରେ କାର୍ଯ୍ୟରତ କିଛି ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଉଦାର ହୋଇଛନ୍ତି। ଏହାଦ୍ୱାରା ବାର୍ଷିକ ଅନୂ୍ୟନ ୫୦୦୦ କୋଟି ଟଙ୍କା ରାଜ୍ୟ ତହବିଲକୁ ଭାରାକ୍ରାନ୍ତ କରୁଛି ଏବଂ ରାଜ୍ୟର ବେକାର ଯୁବତୀ ଯୁବକଙ୍କ ନିଯୁକ୍ତି ପ୍ରଭାବିତ ହୋଇଛି। ଯୋଜନାର କାର୍ଯ୍ୟକାରିତାର ଉପଯୁକ୍ତ ତଦାରଖ ଏବଂ ଅଧିକାରୀ ବା କର୍ମଚାରୀଙ୍କୁ ଠିକ୍‌ ପରିଚାଳନା କରିପାରିଲେ ସରକାରଙ୍କ ଦକ୍ଷତା ସହ ଲୋକ କଲ୍ୟାଣ ଉଦ୍ଦେଶ୍ୟ ସଫଳ ହୋଇଥାଏ। ୨୦୦୦ ମସିହା ଏବଂ ଆଜିର ତାରିଖରେ ଯଦି ସରକାରୀ କର୍ମଚାରୀଙ୍କ ମଧ୍ୟରେ ତୁଳନା କରାଯାଏ ତେବେ ଦକ୍ଷତା ଓ ପ୍ରତିବଦ୍ଧତାର ବ୍ୟାପକ ଅବକ୍ଷୟ ନିଶ୍ଚିତ ହୋଇଛି ଏବଂ ପ୍ରଶାସନ ପାଖରେ ସରକାର ଅବନମିତ ହେଉଥିବା ସ୍ପଷ୍ଟ ହେଉଛି ।
ଏକଦା ସରକାରୀ କର୍ମଚାରୀଙ୍କୁ ଦରମା ଦେବାକୁ ଅସମର୍ଥ ସରକାର ଖଣି ଆୟ ଓ କେନ୍ଦ୍ର ଅନୁଦାନ, କର୍ମଚାରୀଙ୍କ ସଂଖ୍ୟା ହ୍ରାସ ଯୋଗୁ ଆର୍ଥତ୍କ ସ୍ବଚ୍ଛଳ ହୋଇଗଲେ। କିନ୍ତୁ ଅନେକ ଚାକିରିର ମୂଳପଦବୀ ସଂଖ୍ୟା ହ୍ରାସ ସତ୍ତ୍ୱେ ଲକ୍ଷାଧିକ ପଦବୀ ପୂରଣ ପରିବର୍ତ୍ତେ ଚୁକ୍ତିଭିତ୍ତିକ, ଆଉଟ ସୋର୍ସିଂ ଏବଂ ଅବସରପ୍ରାପ୍ତ ଅଧିକାରୀଙ୍କୁ ନିଯୁକ୍ତି ଏବଂ କିଛି କର୍ମଚାରୀ ଓ ଅଧିକାରୀମାନଙ୍କୁ ଆର୍ଥତ୍କ ଲାଭର ସୁଯୋଗ ଦେଇ ସରକାର ଅଭୂତପୂର୍ବ ଉଦାହରଣ ସୃଷ୍ଟି କରିଛନ୍ତି। ୨୦୦୦ମସିହା ପୂର୍ବରୁ ପଦୋନ୍ନତିଭିତ୍ତିକ ପଦବୀ ସଂଖ୍ୟା ସୀମିତ ଥିଲା। କ୍ରମେ କ୍ରମେ ସରକାର କର୍ମଚାରୀଙ୍କ ଚାପ ବା ସନ୍ତୁଷ୍ଟୀକରଣ ନୀତି ଆପଣାଇ ପଦୋନ୍ନତିଭିତ୍ତିକ ପଦବୀ ସଂଖ୍ୟା ବଢ଼ାଇ ଦେଲେ। ଯାହା କି ରାଜ୍ୟର ପ୍ରତ୍ୟେକ ବିଭାଗର ଏପରିକି ସର୍ବଭାରତୀୟ ସେବାର ପଦବୀ ତାଲିକା ସ୍ପଷ୍ଟ କରୁଛି।
ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ସର୍ବନିମ୍ନ ଦରମା ପାଉଥିବା ରାଜସ୍ବ ନିରୀକ୍ଷକଙ୍କ ଦରମା ଗ୍ରୁପ ବି ସମତୁଲ୍ୟ କରାଗଲା। ସଚିବାଳୟର ଲଘିଷ୍ଠ ସହାୟକ ପଦବୀ ଉଚ୍ଛେଦ କରାଯାଇ ବରିଷ୍ଠ ସହାୟକଙ୍କୁ ସହକାରୀ ଉପ ବିଭାଗ ଅଧିକାରୀ ଭାବେ ମୂଳ ପଦବୀଭୁକ୍ତ କରାଗଲା। ସଚିବାଳୟ ରାଜ୍ୟର ସର୍ବୋଚ୍ଚ ନୀତି ନିର୍ଣ୍ଣାୟକ ଦପ୍ତର ଯୋଗୁ ପୂର୍ବରୁ ଅନ୍ତତଃ ୨୦ବର୍ଷର ଅଭିଜ୍ଞତା ପରେ ବରିଷ୍ଠ ସହାୟକଙ୍କୁ ଉପବିଭାଗ ଅଧିକାରୀ ଭାବେ ପଦୋନ୍ନତି ମିଳୁଥିଲା। କିନ୍ତୁ ଏବେ ୪ ବର୍ଷ ପରେ ପଦୋନ୍ନତି ଯୋଗୁ ଅଭିଜ୍ଞତା ଗୁରୁତ୍ୱହୀନ ହୋଇଛି। ନିକଟରେ ୯୪ଟି ମୂଳ ପଦବୀ ଉଚ୍ଛେଦ କରାଯାଇ ୧୨୦ଟି ବିବିଧ ବର୍ଗର ପ୍ରଥମ ଶ୍ରେଣୀ ଅଧିକାରୀ ପଦବୀ ସୃଷ୍ଟି କରାଯାଇଛି। ପ୍ରତ୍ୟେକ ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ ଉପ ନିରୀକ୍ଷକ ପରିବର୍ତ୍ତେ ନିରୀକ୍ଷକ ପଦବୀ ସୃଷ୍ଟି କରାଯାଇ ସମାନୁପାତିକ ଉପ ଓ ଅତିରିକ୍ତ ଆରକ୍ଷୀ ପଦ ସୃଷ୍ଟି କରାଯାଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗରେ ବହୁ ହଜାର ଶିକ୍ଷକ ପଦବୀ ଖାଲି ରହିଛି। କିନ୍ତୁ ତାହା ପୂରଣ ପରିବର୍ତ୍ତେ ବ୍ଲକ ଶିକ୍ଷାଧିକାରୀ ସହ ୨୦୧୩ ମସିହା ପର୍ଯ୍ୟନ୍ତ ରହିଥିବା ୩ଟି ଯୁଗ୍ମ ନିର୍ଦ୍ଦେଶକ ପଦବୀ ସଂଖ୍ୟା ୫୬କୁ ବୃଦ୍ଧି କରାଯାଇ ଆନୁପାତିକ ଅତିରିକ୍ତ ନିର୍ଦ୍ଦେଶକ ପଦବୀ ସୃଷ୍ଟି କରାଯାଇଛି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗରେ ଅନେକ ପଦବୀ ଚୁକ୍ତିଭିତ୍ତିକ ବା ଆଉଟ ସୋର୍ସିଂ ଦ୍ୱାରା ପରିଚାଳିତ କରାଯାଉଥିବା ବେଳେ ସ୍ବାସ୍ଥ୍ୟ ସେବାର ମୂଳ ପଦବୀକୁ ୧ମ ଶ୍ରେଣୀ କନିଷ୍ଠ ବର୍ଗ ମାନ୍ୟତା ଦିଆଯାଇଛି। ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ପଦ ୨ୟ ଶ୍ରେଣୀ କରାଯାଇ ପଦୋନ୍ନତିଭିତ୍ତିକ ପଦବୀ ବୃଦ୍ଧି ହୋଇଛି।
୨୮ା୨ା୨୦୦୯ ପୂର୍ବରୁ, ଓଏଫ୍‌ଏସ୍‌ ଏବଂ ଓଏଏସ୍‌ର ସର୍ବୋଚ୍ଚ ପଦୋନ୍ନତିଭିତ୍ତିକ ସ୍ବତନ୍ତ୍ର ଶାସନ ସଚିବ ପଦବୀ ଯଥାକ୍ରମେ ୨ ଓ ୪ରେ ସୀମିତ ଥାଇ ମୂଳ ପଦବୀ ୨ୟ ଶ୍ରେଣୀ ଥିଲା। ସେହିଦିନ ମୂଳ ପଦବୀରେ ଥିବା ୩୮୫ ଓଏଫ୍‌ଏସ୍‌ ଓ ୧୧୦୦ ଓଏଏସ୍‌ ଅଧିକାରୀଙ୍କୁ ପ୍ରଥମ ଶ୍ରେଣୀ କନିଷ୍ଠ ବର୍ଗ ପଦବୀଭୁକ୍ତ କରାଗଲା ଏବଂ ସମସ୍ତ ପଦୋନ୍ନତିଭିତ୍ତିକ ପଦବୀ ସଂଖ୍ୟା ମଧ୍ୟ ପ୍ରାୟ ଦୁଇଗୁଣ ବୃଦ୍ଧି କରାଗଲା। ଏଥିସହିତ ସ୍ପେସିଆଲ ଗ୍ରେଡ୍‌ ସୁପର ଟାଇମ ପଦବୀ ଉଚ୍ଛେଦ କରାଯାଇ ଏସ୍‌ଏଜି ପଦବୀ ସଂଖ୍ୟା ୭ ଗୁଣ ବଢ଼ାଇ ଦିଆଗଲା। ଯାହାଦ୍ବାରା ୨ୟ ଶ୍ରେଣୀ ପଦବୀରେ କାର୍ଯ୍ୟ କରୁଥିବା ଅଧିକାରୀମାନେ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ବେତନ ଓ ସୁବିଧା ପାଇଲେ। କିନ୍ତୁ ଆବଶ୍ୟକ ପଦବୀଠାରୁ କାର୍ଯ୍ୟରତ ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ହେବାରୁ ପର୍ଯ୍ୟାୟକ୍ରମେ ସେମାନଙ୍କୁ ଉପଯୁକ୍ତ ପଦବୀରେ ନିଯୁକ୍ତି ପାଇଁ ୪ବର୍ଷ ଲାଗିଲା। ବିଭାଗୀୟ ପଦୋନ୍ନତି ଓ ନିଯୁକ୍ତିଭିତ୍ତିକ ଚାକିରି ଆଶାୟୀମାନଙ୍କୁ ୭ବର୍ଷ ବଞ୍ଚତ୍ତ କରାଗଲା। ପରେ ଏହି ପଦବୀ ପୁନର୍ଗଠନ ଓଏଏସ୍‌ ଅଧିକାରୀଙ୍କ ପାଇଁ ୨୦୧୪, ୨୦୧୬, ୨୦୧୭, ୨୦୨୦ ଓ ୨୦୨୧ରେ ହୋଇଥିବାବେଳେ ଓଏଫ୍‌ଏସ୍‌ ଅଧିକାରୀଙ୍କ ପାଇଁ ୨୦୧୫, ୨୦୧୭, ୨୦୧୮, ୨୦୨୦ ଓ ୨୦୨୧ରେ ହୋଇଛି। ପଦୋନ୍ନତିଭିତ୍ତିକ ଓଏଏସ୍‌ ପଦବୀ ୨୦୦୯ରେ ୯୩୦ ଥିବାବେଳେ ଏବେ ୨୧୨୩ ହେବା ସହ ସ୍ବତନ୍ତ୍ର ସଚିବ ପଦବୀ ୪ରୁ ୬୫କୁ ବୃଦ୍ଧି ପାଇଛି। ସେପରି ୨୦୦୯ ମସିହାରେ ପଦୋନ୍ନତିଭିତ୍ତିକ ଓଏଫ୍‌ଏସ୍‌ ପଦବୀ ୩୩୮ ଥିଲା। ଏବେ ୧୦୧୪ ହୋଇଥିବା ସ୍ଥଳେ ସ୍ବତନ୍ତ୍ର ସଚିବ ପଦବୀ ୨ରୁ ୩୧କୁ ବୃଦ୍ଧି କରାଯାଇଛି। ସବୁଠାରୁ ତାତ୍ପର୍ଯ୍ୟ କଥା ହେଉଛି ୧୦ା୮ା୨୧ରେ ରାଜ୍ୟ କ୍ୟାବିନେଟ ମୋହର ଲାଗିଥିବା ପୁନର୍ଗଠନର ସଂକଳ୍ପନାମା ତା୨୩ା୭ା୨୦୨୧ରିଖରେ ପ୍ରକାଶ ପାଇ ୨ଜଣ ଅଧିକାରୀଙ୍କୁ ପଦୋନ୍ନତି ଦିଆଯାଇଥିଲା। ସେମାନେ ସେଇ ମାସରେ ଅବସର ନେଇଥିଲେ। ଦ୍ବିତୀୟତଃ ଲିଭ୍‌ ରିଜର୍ଭ ପଦବୀ ସଂଖ୍ୟା ୨୦୧୨ ପରଠାରୁ ୧୦ଶତାଂଶ ପରିବର୍ତ୍ତେ ଉଭୟ ପଦବୀରେ ୩୮ଶତାଂଶ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୁନର୍ଗଠନ ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଅନେକ ପ୍ରଶାସନିକ ଚଞ୍ଚକତା ମଧ୍ୟ ସୁସ୍ପଷ୍ଟ ହେଉଛି।
ପୂର୍ତ୍ତ, ନଗର ଉନ୍ନୟନ ଓ ଜଳସେଚନ ବିଭାଗରେ ରାଜ୍ୟ ଯାନ୍ତ୍ରିକ ସେବା ପଦବୀ ୩୧୩୦ ରହିଛି। କିନ୍ତୁ ୧୫ା୩ା୨୦୨୧ ବିଜ୍ଞପ୍ତିରେ ପଦବୀ ସଂଖ୍ୟା ସମାନ ଥାଇ ସ୍ତର ୧୨ ଓ ୧୩ର ପଦବୀ ସଂଖ୍ୟା ହ୍ରାସ ଓ ୧୪, ୧୬, ୧୭ ସ୍ତରର ସମ ସଂଖ୍ୟକ ପଦବୀ ବୃଦ୍ଧି ଯୋଗୁ ଅଧୀକ୍ଷକ ଯନ୍ତ୍ରୀ ୬୧ରୁ ୩୫୨, ମୁଖ୍ୟ ଯନ୍ତ୍ରୀ ୪୫ରୁ ୧୮୨ ଏବଂ ଯନ୍ତ୍ରୀ ମୁଖ୍ୟ ୯ରୁ ୧୪ ହୋଇଛି। ମୂଳ ପଦବୀ ସଂଖ୍ୟା ହ୍ରାସ ଯୋଗୁ ନିଯୁକ୍ତି ସଙ୍କୁଚିତ ହୁଏ। କିନ୍ତୁ ବେକାର ଯୁବତୀ ଯୁବକଙ୍କୁ କର୍ମସଂସ୍ଥାନ ପରିବର୍ତ୍ତେ ସରକାରଙ୍କର ପଦବୀ ପୁନର୍ଗଠନ ଦ୍ବାରା ଏବେ ବେତନ ଓ ଭବିଷ୍ୟତରେ ପେନ୍‌ସନ ପାଇଁ ରାଜକୋଷକୁ ଚାପଗ୍ରସ୍ତ କରାଇବ। ସରକାରଙ୍କର ଏହି ନୀତି ଝିଣ୍ଟିକା ମାରି ବଣି ପୋଷିବା ବା ବଣି ମାରି ଶାଗୁଣା ପୋଷିବା ସହ ସମାନ ହେଉନାହିଁ କି?
୧୧୩ ଗୁଣ୍ଡିଚା ବିହାର, ପୁରୀ
ମୋ: ୭୯୭୮୭୮୫୪୭୮