Categories: ଜାତୀୟ

ଅଧିକାର ଫେରିପାଇବାକୁ ଚାଷୀଙ୍କ ଭଳି ତ୍ୟାଗ କରିବାକୁ ହେବ: ଫାରୁକ୍‌

ଶ୍ରୀନଗର, ୬।୧୨: କୃଷି ଆଇନ ବିରୋଧରେ ଚାଷୀମାନେ ଦୀର୍ଘଦିନ ଆନ୍ଦୋଳନ ଚଳାଇବା ପରେ ଏହାକୁ ରଦ୍ଦ କରିବା ଲାଗି ସରକାର ବାଧ୍ୟ ହୋଇଛନ୍ତି। ବର୍ଷେରୁ ଊର୍ଦ୍ଧ୍ୱ ସମୟ ଆନ୍ଦୋଳନରେ ୭୦୦ରୁ ଅଧିକ ଚାଷୀ ଜୀବନ ଦେଇଛନ୍ତି। ଶେଷରେ ନରେନ୍ଦ୍ର ମୋଦି ସରକାର ଆଇନ ଉଚ୍ଛେଦ ଲାଗି ପାର୍ଲାମେଣ୍ଟରେ ବିଲ୍‌ ଗୃହୀତ କରାଇଛନ୍ତି। ସେହିଭଳି ରାଜ୍ୟ ମାନ୍ୟତା ଏବଂ ଅନୁଚ୍ଛେଦ ୩୭୦ ଭଳି ଅଧିକାର ଫେରିପାଇବାକୁ ଜମ୍ମୁ-କଶ୍ମୀର ଜନସାଧାରଣଙ୍କୁ ଚାଷୀଙ୍କ ଭଳି ତ୍ୟାଗ ସ୍ବୀକାର କରିବାକୁ ପଡ଼ିପାରେ ବୋଲି ନ୍ୟାଶନାଲ କନ୍‌ଫରେନ୍ସ (ଏନ୍‌ସି) ଅଧ୍ୟକ୍ଷ ଫାରୁକ୍‌ ଅବଦୁଲ୍ଲା ରବିବାର କହିଛନ୍ତି। ଦଳର ପ୍ରତିଷ୍ଠାତା ଶେଖ୍‌ ମହମ୍ମଦ ଅବଦୁଲ୍ଲାଙ୍କ ୧୧୬ତମ ଜନ୍ମବାର୍ଷିକୀ ଅବସରରେ ଏନ୍‌ସି ଯୁବ ସଂଗଠନର ଏକ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ ଅବଦୁଲ୍ଲା କହିଥିଲେ, ତାଙ୍କ ଦଳ ହିଂସାକୁ ସମର୍ଥନ କରେନାହିଁ। ଅଧିକାର ଫେରିପାଇବା ଲାଗି ଦଳ ତ୍ୟାଗ ସ୍ବୀକାର କରିବାକୁ ପ୍ରସ୍ତୁତ ବୋଲି ସେ କହିଥିଲେ। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଉଚ୍ଛେଦ କରିବା ସହ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରିଥିଲେ। ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ସହ ସ୍ବତନ୍ତ୍ର ଅଧିକାର ଫେରିପାଇବା ଲାଗି ବିଭିନ୍ନ ଦଳ ପକ୍ଷରୁ ଦାବି ହୋଇଆସୁଛି।

Share