ଭୁବନେଶ୍ୱର,୭ା୯(ବ୍ୟୁରୋ): ମାଲକାନଗିରି ଜିଲା ମାରିୱାଡ଼ା ଆଶ୍ରମ ସ୍କୁଲର ଅନ୍ତେବାସୀମାନେ ୨୦ କିଲୋମିଟର ଚାଲିଚାଲି ଯାଇ ଜିଲା ଅଧିକାରୀଙ୍କୁ ଅଭିଯୋଗ କରିବା ଘଟଣାରେ ଲୋକାୟୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ସେପ୍ଚେମ୍ବର ୪ ତାରିଖରେ ଗଣମାଧ୍ୟମରେ ‘ଛାତ୍ରମାନେ ହଷ୍ଟେଲ ମେସ୍ ବିରୋଧରେ ଅଭିଯୋଗ କରିବା ପାଇଁ ୨୦ କିଲୋମିଟର ଚାଲିଚାଲି ଯିବା’ ଏବଂ ‘ଛାତ୍ରମାନଙ୍କୁ ନିମ୍ନମାନର ଖାଦ୍ୟ ଖାଇବାକୁ ଦିଆଯାଉଥିବା’ ସମ୍ପର୍କରେ ଖବର ପ୍ରକାଶ ପାଇଥିଲା। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ମାଲକାନଗିରି ଜିଲା ଅନ୍ତର୍ଗତ କୋରୁକୋଣ୍ଡା ବ୍ଲକରେ ଥିବା ମାରିୱାଡ଼ା ଆଶ୍ରମ ସ୍କୁଲର ୨୦ରୁ ଅଧିକ ଅନ୍ତେବାସୀ ଛାତ୍ରାବାସ ପାଚେରି ଡେଇଁ ୨୦ କିଲୋମିଟର ଚାଲି ଚାଲି ଯାଇ ଜିଲାସ୍ତରୀୟ ଅଧିକାରୀଙ୍କୁ ସେମାନଙ୍କୁ ଦିଆଯାଉଥିବା ଚାଉଳ ଶିକ୍ଷକମାନଙ୍କ ଦ୍ୱାରା ବିକ୍ରି କରାଯାଉଥିବା ଓ ଛାତ୍ରାବାସରେ ଦିଆଯାଉଥିବା ଖାଦ୍ୟ ନିମ୍ନମାନର ବୋଲି ଅଭିଯୋଗ କରିବାକୁ ଯାଇଥିଲେ। ଏହି ଅଭିଯୋଗ ସମ୍ପର୍କରେ ଲୋକାୟୁକ୍ତ ନିଜଆଡୁ ଘଟଣାର ଅନୁଧ୍ୟାନ କରି ଏ ସମ୍ପର୍କରେ ମାଲକାନଗିରି ଜିଲାପାଳ, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା(ଆଇଟିଡିଏ) ମାଲକାନଗିରି, ଜିଲା ମଙ୍ଗଳ ଅଧିକାରୀ, ମାଲକାନଗିରି, ମାରିୱାଡ଼ା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ୬ ସପ୍ତାହ ମଧ୍ୟରେ ଏହାର ଜବାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଅକ୍ଟୋବର ୨୬ ତାରିଖରେ ଏନେଇ ପରବର୍ତ୍ତୀ ଶୁଣାଣି କରାଯିବ।