ସମୀକ୍ଷା କରିବାର ଅଛି

ଉପେନ୍ଦ୍ର ବିଶ୍ୱାଳ

ରାଷ୍ଟ୍ରର ସମୃଦ୍ଧି ଓ ସୁପରିଚାଳନା ପାଇଁ ନିହାତି ଲୋଡ଼ା ନୀତିନିୟମ, ବିଧିବିଧାନ, ଆଚାର ସଂହିତା। ସେଥିପାଇଁ ତିଆରି ହୁଏ ସମ୍ବିଧାନ। ବିଶିଷ୍ଟ ଦାର୍ଶନିକ ପ୍ଲାଟୋଙ୍କ ଅନୁଯାୟୀ, ”ଉତ୍ତମ ପାଳନପୋଷଣ ଏବଂ ଉତ୍କୃଷ୍ଟ ଶିକ୍ଷା ପାଇଁ ଦେଶରେ ଉତ୍ତମ ସମ୍ବିଧାନ ପ୍ରଥମେ ତିଆରି କର।“ ଅର୍ଥାତ ଉତ୍କୃଷ୍ଟ ରାଷ୍ଟ୍ର ଗଠନ କରିବାକୁ ହେଲେ ଉତ୍ତମ ସମ୍ବିଧାନ ଜରୁରୀ। ରାଷ୍ଟ୍ରର ଗୌରବୋଜ୍ଜ୍ୱଳ ଇତିହାସ, ଐତିହ୍ୟ, ସାଂସ୍କୃତିକ ମୂଲ୍ୟବୋଧ ଆଦିକୁ ଆଧାରକରି ରାଷ୍ଟ୍ରର ମଙ୍ଗଳ ପାଇଁ ଗଢ଼ା ଯାଇଥାଏ ନୂଆ ସମ୍ବିଧାନ; ଯାହାକି ଗୋଟେ ଜାତିର ପ୍ରଗତି ପଥକୁ ସୁଗମ କରିଥାଏ। ଇତିହାସ ହେଉଛି ଜାତିର ଦର୍ପଣଟିଏ। ଯାହାକୁ ଦେଖି ଗୋଟେ ଜାତି ବର୍ତ୍ତମାନକୁ ସଜାଡ଼ି ନିଏ ଓ ତଦନୁଯାୟୀ ଏକ ଉଜ୍ଜ୍ବଳ ଭବିଷ୍ୟତର ସ୍ବପ୍ନ ଦେଖେ ଓ ନକ୍ସା ଆଙ୍କେ। ରାଜନୀତି ଦର୍ଶନ ବି କହିଥାଏ ଠିକ୍‌ ଏହି କଥା – ଗୋଟିଏ ସମ୍ବିଧାନ ପଛରେ ଥାଏ ସେ ଦେଶର ପାରମ୍ପରିକ ନୈତିକ ମୂଲ୍ୟବୋଧ, ସଂସ୍କାର,ଐତିହ୍ୟ ଓ ଅତୀତର ଉତ୍କର୍ଷର ଆଭା। ଫଳରେ ସେହି ସମ୍ବିଧାନ ହିଁ ରାଷ୍ଟ୍ରକୁ ପ୍ରଭାନ୍ନୀତ କରିପାରିବ, ରାଷ୍ଟ୍ରକୁ ସମୁଜ୍ଜ୍ୱଳ କରିପାରିବ। ବ୍ରିଟିଶମାନଙ୍କଠାରୁ କ୍ଷମତା ହସ୍ତାନ୍ତର ହେଲା ପରେ ବିଦ୍ୱାନ୍‌ ବାବାସାହେବ ଆମ୍ବେଦକରଙ୍କ ନେତୃତ୍ୱରେ ଯେତେବେଳେ ତିଆରି ହେଲା ନୂଆ ସମ୍ବିଧାନ, ସେତେବେଳେ ବି ଏହି କଥାକୁ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ସେଥିପାଇଁ ଭାରତୀୟ ସମ୍ବିଧାନର ମୂଳକପିରେ ପ୍ରତିବିମ୍ବିତ ହୋଇଛି ଭାରତର ଜୀବନ ଆଦର୍ଶ, ଇତିହାସର ସ୍ବର୍ଣ୍ଣିମ ସ୍ମୃତି ସବୁ। ପ୍ରାୟ ପ୍ରତିଟି ପୃଷ୍ଠାରେ ବିଶିଷ୍ଟ ଚିତ୍ରଶିଳ୍ପୀ ନନ୍ଦଲାଲ ବୋଷଙ୍କ ଦ୍ୱାରା ଚିତ୍ରିତ ହୋଇଛି ଅର୍ଜୁନଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ‘ଗୀତା ଦର୍ଶନ’, ରାମାୟଣରେ ସୀତା ମାତାଙ୍କୁ ଉଦ୍ଧାର, ଭଗବାନ ବୁଦ୍ଧ ଓ ମହାବୀର ଜୈନଙ୍କ ତପସ୍ୟା, ବିକ୍ରମାଦିତ୍ୟଙ୍କ ରାଜଦରବାରର ସ୍ବର୍ଣ୍ଣିମ ସ୍ମୃତି, ଅଶୋକଙ୍କ ଅମ୍ଳାନ କୃତି ଓ କୀର୍ତ୍ତି, ଗୁପ୍ତ ସାମ୍ରାଜ୍ୟର ସୁବର୍ଣ୍ଣ ଯୁଗର ଝଲକ, ଶିବାଜୀ-ଗୁରୁଗୋବିନ୍ଦ ସିଂହ-ଝାନ୍‌ସୀରାଣୀଙ୍କ ବୀରତ୍ୱ ଗାଥା, ଆକବରଙ୍କ କଳା-ସଂସ୍କୃତି ପ୍ରୀତି, ନେତାଜୀଙ୍କ ସଂଗ୍ରାମ, ଗାନ୍ଧିଜୀଙ୍କ ଦାଣ୍ଡିଯାତ୍ରା ଆଦିର ପ୍ରେରଣାଦାୟୀ ଚିତ୍ର। ବେଦ ବାକ୍ୟ – ‘ସତ୍ୟମେବ ଜୟତେ’, ରାଷ୍ଟ୍ରୀୟ ଆଦର୍ଶ ଉକ୍ତି ଭାବେ ଏବଂ ‘ଯତୋ ଧର୍ମସ୍ତତୋ ଜୟଃ’ – ସର୍ବୋଚ୍ଚ ନ୍ୟାୟାଳୟର ଆଦର୍ଶ ଉକ୍ତି ଭାବେ ସ୍ବୀକୃତ। ଆମ୍ବେଡକର କହୁଥିଲେ, ‘ସମ୍ବିଧାନ କେବଳ ଓକିଲମାନଙ୍କ ନଥିପତ୍ର ବା କିିଛି ନିୟମାବଳୀର ସମାହାର ନୁହେଁ, ବରଂ ଏହା ହେଉଛି ଜୀବନବାହକ ଏବଂ ତାହାର ଆତ୍ମା ହେଉଛି ଗୋଟେ ଯୁଗର ଆତ୍ମା।’ ଅର୍ଥାତ ସମ୍ବିଧାନଟିଏ ହେଉଛି ରାଷ୍ଟ୍ରର ଆତ୍ମା ସଦୃଶ। ଏହା ସମସ୍ତ ନାଗରିକଙ୍କର ମଙ୍ଗଳକାରକ ଓ ଯୁଗୋପଯୋଗୀ ହେବା ବିଧେୟ। ମାତ୍ର ବିଡମ୍ବନାର ବିଷୟ ହେଉଛି ସମ୍ବିଧାନ ପ୍ରଣୟନର ୭୦ବର୍ଷ ଭିତରେ ଅନୂ୍ୟନ ୧୦୫ଥର ତାହା ସଂଶୋଧିତ ହୋଇଛି ରାଜନୈତିକ ସ୍ବାର୍ଥ ସାଧନ ପାଇଁ। ଶାସକ ଦଳ ନିଜକୁ ସୁହାଇଲା ଭଳି ସମ୍ବିଧାନର ଦୁରୁପଯୋଗ କରିଥାନ୍ତି, ସମ୍ବିଧାନର ମୌଳିକତାକୁ ଖିନ୍‌ଭିନ୍‌ କରିଥାନ୍ତି। ୧୯୯୧ ମସିହାର ‘Places of Worship (Special Provisions)’ Act, ୧୯୯୨ ମସିହାର ‘National Commission for Minorities’ Act, ୧୯୯୫ ମସିହାର ’Waqf’ Act ଆଦି ଏକ ଏକ ଦୃଷ୍ଟାନ୍ତ ମାତ୍ର। ଯେଉଁଥିରେ ଦେଶର ନାଗରିକଙ୍କ ଭିତରେ ଅଳ୍ପସଂଖ୍ୟକ ଓ ବହୁସଂଖ୍ୟକ ଭାବେ ବିଭେଦର ବୀଜ ବପନ କରାଯାଇଛି। କେନ୍ଦ୍ର ବିରୋଧୀ ରାଜ୍ୟ ସରକାରଙ୍କୁ ବାରମ୍ବାର ବରଖାସ୍ତ କରାହୋଇଛି।
ଦେଶର ସବୁ ନାଗରିକ ସମସ୍ତେ ଏଠି ସମାନ। ସମ୍ବିଧାନ ମଧ୍ୟ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବାକୁ କହିଥାଏ। କିନ୍ତୁ ଧର୍ମ ଆଧାରରେ ଏଠି ଶିକ୍ଷା ଖସଡ଼ା ଓ ବ୍ୟବସ୍ଥା, ଅଲଗା ଅଲଗା। ଧର୍ମକୁ ଆଧାର କରି ନିୟମକାନୁନ ବି ଅଲଗା। ଗୋଟିଏ ରାଷ୍ଟ୍ରରେ ସମସ୍ତଙ୍କ ପାଇଁ ଗୋଟେ ପ୍ରକାର ଆଇନ, ଗୋଟେ ପ୍ରକାର ଶିକ୍ଷା ବ୍ୟବସ୍ଥା କାହିଁକି ପ୍ରଚଳନ ହେବନାହିଁ? ବୈଜ୍ଞାନିକ ଅବଦୁଲ କଲାମ କେଉଁ ଧର୍ମର କେଉଁ ସ୍ବତନ୍ତ୍ର ଶିକ୍ଷା ବ୍ୟବସ୍ଥାରେ ପାଠ ପଢ଼ି ବିଶ୍ୱବିଖ୍ୟାତ ହୋଇଥିଲେ? ଜୋରଜବରଦସ୍ତ ଧର୍ମାନ୍ତରୀକରଣକୁ ତୀବ୍ର ବିରୋଧ କରି ସର୍ବୋଚ୍ଚ ନ୍ୟାୟାଳୟ ଆଜି କଡ଼ା ଟିପ୍ପଣୀ ଦେଇଛନ୍ତି ଏବଂ ରାଷ୍ଟ୍ରକୁ ଏଥିପ୍ରତି ସତର୍କ କରାଇଛନ୍ତି। ଏହିଭଳି ଅଜସ୍ର ପୀଡ଼ାରେ ଆଜି ସନ୍ତୁଳିତ ଭାରତବର୍ଷ।
ସ୍ବାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ନିଜକୁ ଟିଜେ ସମୀକ୍ଷା କରିବାର ବେଳ ଆଜି ଉପନୀତ। ଦେଶର ୭୫ବର୍ଷ ତଳର ଅବସ୍ଥା ଦେଖି ସେତେବେଳେ ବିଧାନର ବ୍ୟବସ୍ଥା ହୋଇଥିଲା। ଲକ୍ଷ୍ୟ ଥିଲା ସୁଖ-ଶାନ୍ତିଭରା ଏକ ସମୃଦ୍ଧ ଭାରତ। ମାତ୍ର ଆଜି? ଦେଶରେ କେତେଜଣ ଆଜି ସୁଖ-ଶାନ୍ତିରେ? କିଏ ନେଇଗଲା ଆମଠୁ ସୁଖ। କେଉଁଠି ହଜିଛି ଶାନ୍ତି। ପ୍ରାୟ ସମସ୍ତେ କିଛି ନା କିଛି ପାଗଳାମିରେ ଆକ୍ରାନ୍ତ। କିଏ ସମ୍ପତ୍ତି ଲୋଭର ପାଗଳାମି ତ ଆଉ କିଏ ଭୋଗ-ବାସନାର। ପୁଣି କିଏ କ୍ଷମତା ଭୋଗର ତ ଆଉ କିଏ ପୁଣ୍ୟ ପ୍ରାପ୍ତିର ଲୋଭ। ବାହାରେ ବୁଲୁଥିବା ପାଗଳ (ଯିଏକି ବିଧାନ ଓ ସମ୍ବିଧାନ କ’ଣ ଜାଣି ନ ଥାଏ) ଓ ଆମ ଭିତରେ ବିଶେଷ କିଛି ପାର୍ଥକ୍ୟ ଥିବାର ମନେହୁଏ ନାହିଁ। ପାର୍ଥକ୍ୟ କେବଳ ଏତିକି ଯେ ଛଳନାହୀନ ଭାବେ ସେ ନିଜକୁ ଘୋଷଣା କରୁଛି ପାଗଳ ବୋଲି କିନ୍ତୁ ଆମେ ଛଳନାର ଚାଦର ପିନ୍ଧି ଘୋଷଣା କରୁଛୁ ପାଗଳ ନୁହେଁ ବୋଲି। ଠିକ୍‌ ଏହିକଥା ବି କୁହନ୍ତି ବିଶିଷ୍ଟ ମନସ୍ତତ୍ତ୍ୱବିତ୍‌ମାନେ। ସେମାନଙ୍କ ମତରେ ଆଜିର ସମୟରେ ଶତକଡ଼ା ଭାଗେ ବି ମିଳିବେ ନାହିଁ , ଯିଏକି ସ୍ବାଭାବିକ ବା ମାନସିକଭାବେ ସମ୍ପୂର୍ଣ୍ଣ ସୁସ୍ଥ ଥିବେ। ବାକିସବୁ ଅସ୍ବାଭାବିକ ଏଠି। ସମାଜ ବ୍ୟବସ୍ଥା ଆଜି ବିଧ୍ୱସ୍ତ। ମୂଲ୍ୟବୋଧ ଆଜି ମଶାଣିମୁହାଁ। ଅଜବ ପରିସ୍ଥିତି ଆଜି। ଭୌତିକ ବିକାଶରେ ମସ୍‌ଗୁଲ ମଣିଷ, ମଣିଷପଣିଆକୁ ମାରି ଚାଲିଛି। ନା ଅଛି ସମାଜ ବା ଲୋକଲଜ୍ଜାକୁ ଭୟ ନା ଭୟ ଅଛି ଆଇନକାନୁନ ଓ ଶାସନ ବ୍ୟବସ୍ଥାକୁ। ବିଜ୍ଞାନର ପ୍ରାଚୁର୍ଯ୍ୟ ଭିତରେ ହଜୁଛି ମାନବିକତା, ସମ୍ବେଦନଶୀଳତା। ଏଭଳି ସ୍ଥିତିରେ ଆଜିର ମଣିଷ ଏକ ଅସହଣୀୟ ଅବସ୍ଥାର ଦ୍ୱାର ଦେଶରେ। ଏହାର କାରଣ ହେଉଛି ଆମ ସମ୍ବିଧାନରେ ଏକ ସତ୍ୟ-ସନାତନ ମାନଦଣ୍ଡର ଅଭାବ। ଆମ ସମ୍ବିଧାନ ବ୍ୟକ୍ତିର ସ୍ବାତନ୍ତ୍ର୍ୟ ଉପରେ ପ୍ରାଧାନ୍ୟ ଦେଇଥିଲାବେଳେ ବ୍ୟକ୍ତି ନିର୍ମାଣ କ୍ଷେତ୍ରରେ ଉଦାସୀନ। ବ୍ୟକ୍ତିର ଭୌତିକ ପ୍ରଗତି ପାଇଁ ସମ୍ବିଧାନ ଜୋର ଦେଇଥିଲାବେଳେ ବ୍ୟକ୍ତିର ନୈତିକ ଉନ୍ନତି ପାଇଁ ନୀରବ। ବ୍ୟକ୍ତିର ଅଧିକାର ପାଇଁ ଏଠି ତୁମ୍ବିତୋଫାନ ହେଉଥିଲାବେଳେ କର୍ତ୍ତବ୍ୟ ଓ ଦାୟିତ୍ୱ ପାଇଁ କେହି ରଡ଼ି ଛାଡୁଥିବାର ଦେଖାଯାଏ ନାହିଁ। ଏଣୁ ସମୟ ଆଜି ଉପନୀତ, ଏ ସମ୍ବନ୍ଧେ ସମୀକ୍ଷା କରିବାକୁୁ ଏବଂ ତାହାର ବିହିତ ପ୍ରତିକାର ବ୍ୟବସ୍ଥା ଆପଣାଇବାକୁ।
ଗୋଡିଶୂଳ, ସଜନାଗଡ଼, ବାଲେଶ୍ୱର ମୋ- ୯୪୩୭୪୩୬୦୭୩