ଆର୍‌ଏମ୍‌ଆର୍‌ସିକୁ ମଙ୍କିପକ୍ସ ପରୀକ୍ଷଣ ଅନୁମତି ପାଇଁ କେନ୍ଦ୍ରକୁ ଚିଠି

ଭୁବନେଶ୍ୱର, ୩।୮(ବ୍ୟୁରୋ): ବିଶ୍ୱରେ ଏବେ ମଙ୍କିପକ୍ସ ଭୂତାଣୁ କାୟା ବିସ୍ତାର କରିଚାଲିଛି। ଭାରତରେ ଏଯାଏ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଯଦିଓ ଏ ପର୍ଯ୍ୟନ୍ତ ଓଡ଼ିଶାରେ କେହି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି, ତଥାପି ରାଜ୍ୟ ସରକାର ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର (ଆର୍‌ଏମ୍‌ଆର୍‌ସି)କୁ ମଙ୍କିପକ୍ସ ପରୀକ୍ଷା ପାଇଁ ଅନୁମତି ଦେବା ସହ ଆବଶ୍ୟକ କିଟ୍‌ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରୀ ଡା. ମନସୁଖ ମାଣ୍ଡବ୍ୟଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ମନ୍ତ୍ରୀ ଦାସ କହିଛନ୍ତି, କୋଭିଡ୍‌-୧୯ ସମୟରେ ଆର୍‌ଏମ୍‌ଆର୍‌ସି କରୋନା ପରୀକ୍ଷଣ ଦିଗରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେଇଥିଲା ଏବଂ ଏହାଦ୍ୱାରା ରାଜ୍ୟବାସୀ ଉପକୃତ ହୋଇଥିଲେ। ଏବେ ଭାରତରେ କିଛି ସ୍ଥାନରେ ମଙ୍କିପକ୍ସ ରୋଗୀ ଚିହ୍ନଟ ହେଲେଣି। ଏବେ ଦେଶର ସମସ୍ତ ରାଜ୍ୟରେ ଏହି ଭାଇରସ ଚିହ୍ନଟ କରିବା ପାଇଁ ଲାବରେଟୋରି ଓ ଆନୁଷଙ୍ଗିକ ସହାୟକ କିଟ୍‌ ମଧ୍ୟ ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ମେଡିକାଲ କଲେଜ ଓ ଜିଲାର ସଦର ମହକୁମା ହସ୍ପିଟାଲଗୁଡ଼ିକରେ ମଙ୍କିପକ୍ସର ଚିହ୍ନଟ ଓ ଚିକିତ୍ସା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଓ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Share