ଦୁଇ ଫେରାର ଅପରାଧୀଙ୍କୁ ପଳାତକ ଘୋଷଣା

ପୁରୁଷୋତ୍ତମପୁର,୫।୨(ଡି.ଏନ୍‌.ଏ.): ପଞ୍ଚାୟତ ନିର୍ବାଚନକୁ ଗୁରୁତ୍ୱ ଦେଇ ବିଭିନ୍ନ ଗ୍ରାମରେ ଥିବା ଅପରାଧୀଙ୍କୁ ଦମନ ଲାଗି ଚଢ଼ାଉ ଜାରି ରହଛି। ପୁରୁଷୋତ୍ତମପୁର ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ଆଇଆଇସି ପୀୟୂଷ ରଞ୍ଜନ ଛୋଟରାୟଙ୍କ ତତ୍ତ୍ୱାବଧାନରେ ଏହି ଚଢ଼ାଉ ଚାଲିଛି। ଶନିବାର ଦୁଇ ଜଣ ଦୀର୍ଘଦିନ ହେଲା ଫେରାର ଥିବା ଅପରାଧୀଙ୍କୁ ପଳାତକ ଘୋଷଣା କରିଛନ୍ତି। ସେମାନେ ହେଲେ ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ରିଶିପୁର ଗ୍ରାମର ବାପୁଜୀ ବେହେରା ଓ ଭାବନ୍ଧ ଗ୍ରାମର କାଦୁ ଓରଫ ଅରୁଣ କୁମାର ଦାସ। ଏ ନେଇ ଥାନା ଏସ୍‌ଆଇ ସୁନିଲ କୁମାର ପ୍ରଧାନ ଓ ଏଏସ୍‌ଆଇ ରବୀନ୍ଦ୍ର ନାଥ ପାଣିଗ୍ରାହୀ ସଦଳବଳ ଉକ୍ତ ଅପରାଧୀଙ୍କ ଘରକୁ ଯାଇ ଲଟକା ଜାରି କରି ଡାକବାଜିଯନ୍ତ୍ର ଯୋଗେ ଗ୍ରାମରେ ସୂଚନା ଦେଇଛନ୍ତି। ଦୀର୍ଘ ଦିନ ହେଲା କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି କୋର୍ଟରେ ହାଜର ହେଉନାହାନ୍ତି। ଏଣୁ ଆଇନର ଦଫା ଅନୁସାରେ ପୁରୁଷୋତ୍ତମପୁର ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ଅପରାଧୀଙ୍କୁ ପଳାତକ ଘୋଷଣା କରି ଆସନ୍ତା ମାର୍ଚ୍ଚ ୧୫ ତାରିଖ ମଧ୍ୟରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ଦିନରେ ଏହି ଅପରାଧୀଙ୍କ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ବାଜ୍ୟାପ୍ତି କରାଯିବା ଲାଗି ସୂଚାଇ ଦିଆଯାଇଛି।