Categories: ଖେଳ

ମ୍ୟାଚ ଦେଖିବାକୁ କାତାରରେ ମାରିଆମ୍‌

ଦୋହା, ୨୧ା୧୧: ବିଶ୍ୱକପ୍‌ ମ୍ୟାଚ ଟିକେଟ ୨୭ ବର୍ଷୀୟା ମାରିଆମ୍‌ଙ୍କ ପାଇଁ ଏକ ବହୁମୂଲ୍ୟ ଉପହାର। କ୍ରୀଡ଼ା ପ୍ରତି ତାଙ୍କର ରହିଛି ଅଶେଷ ଦୁର୍ବଳତା। କାତାରରେ ବିଶ୍ୱକପ୍‌ ଦେଖିବା ଲାଗି ତେହେରାନରୁ କାତାର ଗସ୍ତ କରିଛନ୍ତି। ସୋମବାର ଇଂଲଣ୍ଡ ବିପକ୍ଷରେ ଇରାନର ଓପନିଂ ମ୍ୟାଚ ସେ ଷ୍ଟାଡିୟମରେ ଉପସ୍ଥିତ ରହି ଉପଭୋଗ କରିଛନ୍ତି। ଇରାନରେ ମହିଳାମାନଙ୍କ ଲାଗି ପୁରୁଷ ମ୍ୟାଚ ଦେଖିବାରେ କଟକଣା ରହିଛି। ଇଣ୍ଟରନ୍ୟାଶନାଲ୍ସ ରିଲେଶନ ପାଠ୍ୟକ୍ରମର ଜଣେ ଛାତ୍ରୀ ମାରିଆମ୍‌ କହିଛନ୍ତି ସେ ତାଙ୍କ ଜୀବନ କାଳରେ କେବେ ଷ୍ଟାଡିୟମରେ ଫୁଟ୍‌ବଲ ମ୍ୟାଚ ଦେଖି ନ ଥିଲେ। ଇରାନରେ ବଡ଼ ଧରଣର ମହିଳା ଆନ୍ଦୋଳନ ଚାଲିଥିବା ବେଳେ ଦେଶ ଏପଟେ ବିଶ୍ୱକପ୍‌ରେ ଭାଗ ନେଇଛି। ମାନବାଧିକାର କର୍ମୀଙ୍କ ସୂଚନା ଅନୁସାରେ ଆନ୍ଦୋଳନକୁ ଦମନ ଲାଗି କାର୍ଯ୍ୟାନୁଷ୍ଠାନ ଫଳରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ଇତିମଧ୍ୟରେ ୪୧୯ ଲୋକ ନିହତ ହୋଇସାରିଲେଣି। ମହିଳା ଜଣକ ପ୍ରକୃତ ନାମ ମାରିଆମ୍‌ ନୁହେଁ। ଏହା ତାଙ୍କ ଛଦ୍ମ ନାମ। ଦେଶକୁ ଫେରିଲେ ଶାସକଙ୍କ ଦ୍ୱାରା ନର୍ଯ୍ୟାତନର ସମ୍ମୁଖୀନ ଆଶଙ୍କା କରି ସେ ନିଜ ନାମକୁ ଗୋପନ ରଖିଛନ୍ତି।

Share