ପାନ ମସଲା ବିଜ୍ଞାପନ କରିବା ମାମଲାରେ ଝଟ୍‌କା! ଶାହାରୁଖ-ଅକ୍ଷୟ-ଅଜୟଙ୍କୁ କେନ୍ଦ୍ର ସରକାରଙ୍କ ନୋଟିସ୍‌

ମୁମ୍ବାଇ,୧୦।୧୨: ପାନ ମସଲା କମ୍ପାନୀର ବିଜ୍ଞାପନ କରିବା ପଡ଼ିଛି ମହଙ୍ଗା। ଏହି ମାମଲାରେ ବଲିଉଡ ଅଭିନେତା ଅକ୍ଷୟ କୁମାର, ଶାହାରୁଖ ଖାଁ ଏବଂ ଅଜୟ ଦେବଗନଙ୍କୁ ନୋଟିସ୍‌ ଜାରି କରାଯାଇଛି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଅବମାନନା ଆବେଦନ ଉପରେ କେନ୍ଦ୍ର ସରକାର ଉତ୍ତର ଦେଇଛନ୍ତି। ଗୁଟ୍‌ଖା ବିଜ୍ଞାପନ ମାମଲାରେ ତିନି କଳାକାରଙ୍କୁ ନୋଟିସ ଜାରି କରାଯାଇଥିବା ଲକ୍ଷ୍ନୌ ବେଞ୍ଚକୁ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି।

କେନ୍ଦ୍ର ସରକାରଙ୍କ ଓକିଲ କହିଛନ୍ତି ଯେ, ସୁପ୍ରିମକୋର୍ଟ ମଧ୍ୟ ଏହି ମାଲାରେ ଶୁଣାଣି କରୁଛନ୍ତି, ତେଣୁ ଏହି ଆବେଦନକୁ ଖାରଜ କରାଯିବା ଉଚିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ତାରିଖ ୨୦୨୪ ମେ’ ୯ ପାଇଁ ସ୍ଥିର କରାଯାଇଛି। ଜଷ୍ଟିସ ରାଜେଶ ସିଂ ଚୌହ୍ବାନଙ୍କ ଏକକ ବେଞ୍ଚ ଅବମାନନା ଆବେଦନ ଉପରେ ଏହି ଆଦେଶ ଦେଇଛନ୍ତି।

କହିରଖୁଛୁ, ପାନ ମସଲା ପ୍ରଚାର କରୁଥିବା କଳାକାର ଶାହାରୁଖ, ଅକ୍ଷୟ ଏବଂ ଅଜୟଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଭଳି ସ୍ଥିତିରେ ପିଟିସନ ଦାଖଲ କରିଥିବା ଓକିଲ ମୋତିଲାଲ ଯାଦବ ବିଶ୍ୱାସ କରନ୍ତି ଯେ ଯୁବକମାନଙ୍କ ଲାଗି ଏହି ପଦକ୍ଷେପ ଠିକ୍‌ ନୁହେଁ। କଳାକାରମାନେ ଏଭଳି କରିବା ଦ୍ୱାରା ଲୋକେ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି ବୋଲି ସେ କହିଛନ୍ତି।

Share